Categories: ଜାତୀୟ

ପୋକ୍ସୋ, ଏସ୍‌ସି/ଏସ୍‌ଟି ଆଇନର ଦୁରୁପଯୋଗ କରୁଛନ୍ତି ମହିଳା

ଲକ୍ଷ୍ନୌ,୧୩।୮: ଶିଶୁ ଯୌନ ଅପରାଧ ସୁରକ୍ଷା (ପୋକ୍ସୋ) ଆଇନ ଏବଂ ଅନୁସୂଚିତ ଜାତି, ଜନଜାତି (ଅତ୍ୟାଚାର ନିରାକରଣ) ଆଇନ (ଏସ୍‌ସି/ଏସ୍‌ଟି ଆଇନ)ରେ ଥିବା ଆଇନଗତ ବ୍ୟବସ୍ଥାର ଦୁରୁପଯୋଗ କରାଯିବା ସହ ମିଥ୍ୟା ଅଭିଯୋଗ କରାଯାଉଥିବା ନେଇ ଆଲ୍ଲାହାବାଦ ହାଇକୋର୍ଟ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଆର୍ଥତ୍କ ଫାଇଦା ଉଠାଇବା ପାଇଁ ମହିଳାମାନେ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରିବା ଦୁର୍ଭାଗ୍ୟଜନକ। ଆଜିକାଲି ଉକ୍ତ ଆଇନରେ ଅନେକ ନିରୀହ ଲୋକଙ୍କ ବିରୋଧରେ ମିଥ୍ୟା ଏତଲା ଦାଏର ହେଉଥିବାର ବହୁ ଦୃଷ୍ଟାନ୍ତ ରହିଥିବା ବିଚାରପତି ଶେଖର କୁମାର ଯାଦବ କହିଛନ୍ତି। ଏହା ବନ୍ଦ ହେବା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି। ଆଇପିସିର ଧାରା ୩୭୬, ୩୧୩, ୫୦୪, ୫୦୬ ଏବଂ ପୋକ୍ସୋ ଆଇନର ଧାରା ୩/୪ରେ ଅଭିଯୁକ୍ତ ଅଜୟ ଯାଦବ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ। ୨୦୧୧ରେ ଆଜମଗଡ଼ରେ ଏହି ବଳାତ୍କାର ଓ ଶିଶୁ ଯୌନ ଅପରାଧ ଘଟଣା ଘଟିଥିଲା। ଏଭଳି ଗମ୍ଭୀର ମାମଲାରେ ରାଜ୍ୟ ଓ କେନ୍ଦ୍ର ସରକାର ସମ୍ବେଦନଶୀଳ ହେବାର ସମୟ ଆସିଥିବା ସେ ଭାବୁଛନ୍ତି ବୋଲି ଜଷ୍ଟିସ ଯାଦବ କହିଛନ୍ତି। ପୀଡ଼ିତା କରିଥିବା ଅଭିଯୋଗ ମିଥ୍ୟା ବୋଲି ଯଦି ତଦନ୍ତରୁ ଜଣାପଡ଼େ, ତେବେ ତାଙ୍କ ବିରୋଧରେ ସିଆର୍‌ପିସିର ଆନୁଷଙ୍ଗିକ ବ୍ୟବସ୍ଥାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ପୀଡ଼ିତାଙ୍କୁ ଦିଆଯାଇଥିବା ଆର୍ଥତ୍କ ସହାୟତାକୁ ତାଙ୍କଠାରୁ ଫେରାଇ ନିଆଯିବା ଆବଶ୍ୟକ ବୋଲି ବିଚାରପତି କହିଛନ୍ତି।

Share