ନୂଆଦିଲ୍ଳୀ,୨୫।୪: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅବସ୍ଥା ଅଣାୟତ୍ତ ହେବାରେ ଲାଗିଛି। ତେବେ କରୋନା ଲଢ଼େଇରେ ମହିଳା ଆଗରେ ରହିଛନ୍ତି। ମହିଳାଙ୍କ ତୁଳନାରେ ଅଧିକ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଥାନ୍ତି ବୋଲି ମୁମ୍ବାଇ ମହାନଗର ନିଗମରେ ହୋଇଥିବା ଏକ ସେରୋ ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ମହିଳାଙ୍କ ଶରୀରରେ ଅଧିକ ଆଣ୍ଟିବଡ଼ି ଥିବାରୁ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବେଶି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଜୀବନଶୈଳୀ ଆଧାରରେ ପୁରୁଷ ଅଧିକ ସମୟ ଘରୁ ବାହାରେ ରହୁଥିବାବେଳେ ମହିଳା ଅଧିକାଂଶ ସମୟ ଘରେ ହିଁ ବିତାଇଥାନ୍ତିି। ଏହାଯୋଗୁ ପୁରୁଷଙ୍କ ଆଣ୍ଟିବଡ଼ି ମହିଳାଙ୍କ ତୁଳନାରେ କମ ଶକ୍ତିଶାଳୀ ହୋଇଥାଏ ବୋଲି ବିଶେଷଜ୍ଞ ପ୍ରକାଶ କରିଛନ୍ତି। ମୁମ୍ବାଇରେ ହୋଇଥିବା ତୃତୀୟ ସେରୋ ସର୍ଭେରେ ଜଣାପଡ଼ିଛି ଯେ, ୩୬.୫୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଆଣ୍ଟିବଡ଼ି ବିକଶିତ ହୋଇଛି। ଏହି ସର୍ଭେରେ ୧୦ ହଜାର ୧୯୭ ଲୋକଙ୍କୁ ସାମିଲ କରାଯାଇଥିଲା। ୩୫.୦୨ ପ୍ରତିଶତ ପୁରୁଷଙ୍କ ମଧ୍ୟରେ ଆଣ୍ଟିବଡ଼ି ବିକଶିତ ହୋଇଥିବାବେଳେ ୩୭.୧୨ ପ୍ରତିଶତ ମହିଳାଙ୍କଠାରେ କରୋନା ସହିତ ଲଢ଼ିବା ଉପଯୋଗୀ ଆଣ୍ଟିବଡ଼ି ସୃଷ୍ଟି ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି।