Categories: ଜାତୀୟ

ମହିଳାଙ୍କୁ ଭାକ୍ସିନ୍‌ ଭୟ

ନୂଆଦିଲ୍ଲୀ, ୧୮।୧୨:କରୋନା ମହାମାରୀରୁ ଦେଶକୁ ରକ୍ଷା କରିବାକୁ ସରକାର ଟିକାକରଣ ପାଇଁ ଜୋରଦାର ଉଦ୍ୟମ ଚଲାଇଥିବାବେଳେ ଲୋକେ କିନ୍ତୁ ଭାକ୍ସିନ୍‌ ନେବେ କି ନା ସେନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଭାରତରେ ଅର୍ଦ୍ଧାଧିକ ଲୋକ ଏଥିପାଇଁ ପଛଘୁଞ୍ଚା ଦେଉଥିବା ଏବଂ ଅନେକ ଲୋକ ଆଦୌ ଟିକା ନେବାକୁ ଚାହୁଁ ନାହାନ୍ତି। ବିଶେଷ କରି ମହିଳାମାନେ କୌଣସି ପାର୍ଶ୍ୱ ପ୍ରତିକ୍ରିୟାକୁ ଭୟ କରି ଭାକ୍ସିନ ନେବାକୁ ଇଚ୍ଛୁକ ନ ଥିବାବେଳେ ଯୁବଗୋଷ୍ଠୀ କିନ୍ତୁ ଉତ୍ସାହୀ ଥିବା ଏକ ସର୍ଭେରୁ ଜଣାପଡିଛି।
‘ଦି ଜିଓକ୍ୟୁଆଇଆଇ କୋଭିଡ୍‌-୧୯, ଦି ଓ୍ବେ ଫରଓ୍ବାର୍ଡ’ ନାମରେ ହୋଇଥିବା ଏହି ସର୍ଭେରେ ୧୧ ହଜାର ଅଂଶଗ୍ରହଣକାରୀଙ୍କ ମତାମତ ନିଆଯାଇଥିଲା। ଅନୁସନ୍ଧାନର ରିପୋର୍ଟ ଅନୁଯାୟୀ, ଭାରତରେ ୫୩ ପ୍ରତିଶତ ଲୋକ ଟିକା ପାଇଁ ଦ୍ୱନ୍ଦ୍ୱରେ ରହିଛନ୍ତି। ସେଥିମଧ୍ୟରୁ ୪୩ ପ୍ରତିଶତ ଅନ୍ୟ ଲୋକଙ୍କଠାରେ ଟିକାକରଣ ସଫଳ ହେଲେ ସେମାନେ ଆଗେଇବେ ବୋଲି କହିଛନ୍ତି। ବାକି ୧୦ ପ୍ରତିଶତ ଆଦୌ ଟିକା ନେବାକୁ ଚାହୁଁ ନାହାନ୍ତି। ତେବେ ପୁରୁଷଙ୍କ ତୁଳନାରେ ମହିଳାମାନେ ଟିକା ନେବାକୁ ଭୟ କରୁଛନ୍ତି। ନିକଟରେ ଆମେରିକା ସମେତ ଅନ୍ୟ ଦେଶଗୁଡିକରେ ଟିକାକରଣ ଚାଲିଥିବାବେଳେ କେତେଜଣ ତୀବ୍ର ପାର୍ଶ୍ୱପ୍ରତିକ୍ରିୟାର ସମ୍ମୁଖୀନ ହେଉଥିବାରୁ ଭାରତୀୟ ମହିଳାଙ୍କ ମଧ୍ୟରେ ଏହି ଭୟ ଦେଖିବାକୁ ମିଳିଛି। ୪୨ ପ୍ରତିଶତରୁ ବି କମ୍‌ ମହିଳା ଟିକାକରଣ ପାଇଁ ଇଚ୍ଛା ଦେଖାଇଛନ୍ତି। ପାଖାପାଖି ୪୮ ପ୍ରତିଶତ ପୁରୁଷ ଭାକ୍ସିନ ନେବାକୁ ଅପେକ୍ଷା କରିଛନ୍ତି। ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ଯେଉଁମାନଙ୍କୁ ଟିକାର ବେଶୀ ଆବଶ୍ୟକତା ରହିଛି ସେମାନେ ଏହାକୁ ବିପଦଜ୍ଜନକ ଭାବୁଥିବା କହିଛନ୍ତି। କିନ୍ତୁ ଯୁବଗୋଷ୍ଠୀଙ୍କ ମଧ୍ୟରେ ଏଥିପାଇଁ ଆଗ୍ରହ ବଢ଼ିଥିବା ସର୍ଭେରୁ ଜଣାପଡିଛି। ୨୨ ପ୍ରତିଶତ ଲୋକେ ଟିକାକରଣ ପାଇଁ ସରକାରଙ୍କ ନୀତିକୁ ପ୍ରଭାବହୀନ ବୋଲି ଦର୍ଶାଇଛନ୍ତି। ଅନ୍ୟପକ୍ଷରେ କୋଭିହ୍‌ ମୁକାବିଲା ବେଳେ ୬୬ ପ୍ରତିଶତ ଲୋକେ ଲକଡାଉନ୍‌କୁ ଧୀରେ ଧୀରେ ଉଠାଇଦେବା ସପକ୍ଷରେ ଥିବାବେଳେ ୩୪ ପ୍ରତିଶତ ପୁନଃ ଲକ୍‌ଡାଉନ ଜାରି କରାଯିବା ଉଚିତ୍‌ ବୋଲି ମତ ରଖିଛନ୍ତି।

Share