ବିପଦପୂର୍ଣ୍ଣ ନଦୀ ଡେଇଁ ପାଣି ଆଣୁଛନ୍ତି ମହିଳା

ଯାଜପୁର ଅଫିସ୍‌, ୨୮।୮: ଯାଜପୁର ଜିଲା ସୁକିନ୍ଦା ବ୍ଲକ ଖରଖରି ଓ ରଗଡ଼ା ଗ୍ରାମ ଢେଙ୍କାନାଳ ଜିଲା ସୀମାନ୍ତରେ ରହିଛି। ଏହି ୨ ଗ୍ରାମରେ ପ୍ରାୟ ୩୫ ପରିବାର ବସବାସ କରୁଛନ୍ତି। ମହନ୍ତସାହିବାସୀଙ୍କ କହିବା ଅନୁସାରେ, ସେଠାରେ ୨ଟି ନଳକୂପ ରହିଛି। କିନ୍ତୁ ସେହି ନଳକୂପରୁ ଶୁଦ୍ଧ ପାଣି ବାହାରୁ ନ ଥିବାରୁ ଲୋକେ ଏକ ଖୋଲା କୁପ ଉପରେ ନିର୍ଭର କରିଥାନ୍ତି। କିନ୍ତୁ ସେହି ଖୋଲାକୂପ ନିକଟରେ ଏକ କମ୍ପୋଷ୍ଟ ପିଟ ରହିଥିବାରୁ ଗ୍ରାମବାସୀ ପଡ଼ୋଶୀ ଢେଙ୍କାନାଳ ଜିଲା ପାକୁଟପାଣି ଗ୍ରାମକୁ ଯାଇ ପାଇପ ଜଳଯୋଗାଣ ପ୍ରକଳ୍ପରୁ ପାଣି ଆଣିଥାନ୍ତି। ସେହିପରି ଖରଖରି ଗ୍ରାମରେ ଗୋଟିଏ ନଳକୂପ ରହିଥିଲେ ହେଁ ଆଇରନ ମିଶ୍ରିତ ପାଣି ବାହାରୁଛି। ସେହି ପାଣି ପିଇ ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଯେତେ ବିପଦ ହେଲେ ବି ଦେଢ଼ କିମି ଦୂରକୁ ଯାଇ ପଡୋଶୀ ଜିଲାର ଗ୍ରାମରୁ ପାଣି ଆଣିବାକୁ ପଡୁଛି ବୋଲି ସୁକାନ୍ତି ମହନ୍ତ, ବିମଳା ମହନ୍ତ, ଜାଗରି ମହନ୍ତ ପ୍ରମୁଖ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ଡିଏମ୍‌ଏଫ୍‌ ପାଣ୍ଠିରେ ଖଣି ଅଞ୍ଚଳରେ ନିର୍ମାଣାଧୀନ ସୁକିନ୍ଦା ମେଗା ଜଳଯୋଗାଣ ପ୍ରକଳ୍ପ ଖରଖରି ଓ ମହନ୍ତସାହି ଗ୍ରାମକୁ ସଂଯୋଗ କରୁନାହିଁ। ଏଠାରୁ ପ୍ରାୟ ୨ କି.ମି. ଦୂର ରଗଡ଼ା, ଅର୍ଡାପାଲ ଗ୍ରାମ ଦେଇ ପାଇପ ବିଛା ଯାଇଛି। ତେଣୁ ଉକ୍ତ ମେଗା ଜଳଯୋଗାଣ ପ୍ରକଳ୍ପର ପାଇପ ଖରଖରି ଓ ମହନ୍ତସାହି ଗ୍ରାମ ଦେଇ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ଯାଜପୁର ଜିଲା ଆରଡବ୍ଲ୍ୟୁଏସ୍‌ଏସ୍‌ର ନିର୍ବାହୀ ଯନ୍ତ୍ରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।

Share