ପାନୀୟ ଜଳ ଯୋଗାଣ ଦାବିରେ ତାତିଲେ ମହିଳା

କୋକସରା,୧୨ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର କୋକସରା ବଡ଼ପଡ଼ାଠାରେ ବୁଧବାର ଶତାଧିକ ମହିଳା ଦୀର୍ଘ ୩ ଘଣ୍ଟା ଧରି ପାନୀୟ ଜଳ ଯୋଗାଣ ଦାବିରେ ଜାତୀୟ ରାଜପଥ ୨୬କୁ ଅବରୋଧ କରି ରଖିଥିଲେ। ପରେ ପ୍ରଶାସନିକ ଅଧିକାରୀ ଆସି ୨୪ ଘଣ୍ଟା ମଧ୍ୟରେ ଜଳ ଯୋଗାଣ ସ୍ବାଭାବିକ ହେବା ନେଇ ପ୍ରତିଶ୍ରୁତି ପରେ ରାସ୍ତା ଅବରୋଧ ହଟିଛି।

କୋକସରା ଗ୍ରାମରେ ଦୀର୍ଘ ୭ ଦିନ ହେବ ଗ୍ରାମ୍ୟ ଜଳ ଯୋଗାଣ ବନ୍ଦ ରହିଛି। ଫଳରେ ପାନୀୟ ଜଳ ଯୋଗାଣ ଉପରେ ନିର୍ଭର କରୁଥିବା ସାଧାରଣ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ବ୍ଲକ ପ୍ରଶାସନ ସହ ପଞ୍ଚାୟତ ସରପଞ୍ଚଙ୍କୁ ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନ ନେବାରୁ ବୁଧବାର ସକାଳୁ ସ୍ଥାନୀୟ ବଡ଼ପଡ଼ାର ଶତାଧିକ ମହିଳା ରାସ୍ତାରେ ଗରା, ମାଠିଆ, ବାଲ୍‌ଟି ରଖି ଜାତୀୟ ରାଜପଥ ଅବରୋଧ କରିଥିଲେ। ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ ଓ କୋକସରା ପୋଲିସ ଅଧିକାରୀ ପହଞ୍ଚି ବୁଝାମଣା କରିଥଲେ ମଧ୍ୟ ନିଜ ଜିଦ୍‌ରେ ଅଟଳ ରହିଥିଲେ ମହିଳା। ପରେ କୋକସରା ବିଡିଓ ଉତ୍ତମ କୁମାର ବାଗ ପହଞ୍ଚି ଆନ୍ଦୋଳନରେ ଥିବା ମହିଳାଙ୍କ ସହ ଆଲୋଚନା କରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପାନୀୟ ଜଳ ଯୋଗାଣ ସ୍ବାଭାବିକ ହେବାନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ଦୀର୍ଘ ୩ ଘଣ୍ଟା ଧରି ଜାତୀୟ ରାଜପଥ ଅବରୋଧ ଫଳରେ ଭବାନୀପାଟଣା ଜୟପୁର ମଧ୍ୟରେ ଯାତାୟାତ ପ୍ରଭାବିତ ହୋଇଥିଲା।

Share