କରୋନା ମହାମାରୀରେ ମହିଳା ଅଧିକ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟାରେ ପୁରୁଷ ଆଗରେ…

ଜେନେଭା,୨୬।୧୦: ପୃଥିବୀରେ କରୋନା ମହାମାରୀ ସଂକ୍ରମଣକୁ ୨ ବର୍ଷ ପୂରଣ ହେବାକୁ ଯାଉଛି। ୨୦୧୯ ନଭେମ୍ବରରେ ଏହାର ପ୍ରଥମ ମାମଲା ଚାଇନାରେ ଚିହ୍ନଟ ହୋଇଥିବା ଘୋଷଣା କରାଯାଇଥିଲା। ଇତିମଧ୍ୟରେ ପୃଥିବୀର ୨୪ କୋଟି ୪୭ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ୪୯ ଲକ୍ଷ ୬୬ ହଜାରରୁ ଅଧିକରେ ପହଞ୍ଚିଛି। ମହାମାରୀ ସଂକ୍ରମଣକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ରିପୋର୍ଟ ଜାରି କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, କରୋନା ମହାମାରୀରେ ମହିଳାମାନେ ଅଧିକ ଆକ୍ରାନ୍ତ ହୋଇଛନ୍ତି। ତେବେ ମୃତ୍ୟୁ ସଂଖ୍ୟାରେ ପୁରୁଷଙ୍କ ସଂଖ୍ୟା ଅଧିକ ରହିଛି।

ଆକ୍ରାନ୍ତଙ୍କ ମଧ୍ୟରେ ୫୧.୩ ପ୍ରତିଶତ ମହିଳା ଅଛନ୍ତି। ଅପରପକ୍ଷରେ ପୁରୁଷଙ୍କ ଆକ୍ରାନ୍ତ ସଂଖ୍ୟା ୪୮.୭ ପ୍ରତିଶତ ରହିଛି। ଉଭୟ ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ୩୦ରୁ ୩୯ ବର୍ଷ ବୟସ୍କ ଅଧିକ ପ୍ରଭାବିତ ହୋଇଛନ୍ତି। ୪ କୋଟିରୁ ଅଧିକ ଏହି ବର୍ଗର ଲୋକେ ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି। ୪୦ରୁ ୪୯ ବର୍ଷ ବୟସ୍କଙ୍କ ମଧ୍ୟରେ ଦେଢ଼ କୋଟିରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ଦ୍ୱିତୀୟ ଲହରରେ ୨୦ରୁ ୨୯ ଏବଂ ୫୦ରୁ ୫୯ ବର୍ଷ ବୟସ୍କ ଅଧିକ ପ୍ରଭାବିତ ହୋଇଛନ୍ତି। ଶୂନରୁ ୧୪ ବର୍ଷ ବୟସ୍କଙ୍କ ମଧ୍ୟରେ ମହାମାରୀ ସଂକ୍ରମଣ ସର୍ବନିମ୍ନ ରହିଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

୨୦୨୦ରୁ ୨୦୨୧ ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୫୭.୬ ପ୍ରତିଶତ ପୁରୁଷଙ୍କ ମୃତ୍ୟୁ ଘଟିଛି । ଅପର ପକ୍ଷରେ ୪୨.୪ ପ୍ରତିଶତ ମହିଳାଙ୍କ ମୃତ୍ୟୁ ଘଟିଛି। ବୟସ ହିସାବରେ ୮୦ ବର୍ଷରୁ ଅଧିକ ବୟସ୍କଙ୍କ ମୃତ୍ୟୁ ଅଧିକ ହୋଇଛି। ଏହା ପଛକୁ ୭୫ରୁ ୭୯ ଏବଂ ୭୦ରୁ ୭୪ ବୟସ୍କଙ୍କ ମୃତ୍ୟୁ ସଂଖ୍ୟା ରହିଛି। ୫୦ରୁ ୫୯ ବୟସ୍କ ଅଧିକ ପୁରୁଷ କରୋନାରେ ଆକ୍ରାନ୍ତ ହୋଇ ମରିଛନ୍ତି।

ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୬୩ ଲକ୍ଷରୁ ଅଧିକ ଥିବାବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୪ ହଜାରରୁ ଅଧିକ ରହିଛି। ସେହିପରି ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୪୧ ଲକ୍ଷରୁ ଅଧିକ ଥିବାବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୫୪ ହଜାରରୁ ଅଧିକ ଅଛି। ଏହାପଛକୁ ବ୍ରାଜିଲ୍‌, ବ୍ରିଟେନ୍‌, ରୁଷିଆ, ତୁର୍କୀ, ଫ୍ରାନ୍ସ, ଇରାନ୍‌, ଆର୍ଜେଣ୍ଟିନା, ସ୍ପେନ୍‌ ଆଦି ଦେଶ ରହିଥିବା ରିପୋର୍ଟରେ ପ୍ରକାଶ ପାଇଛି।

Share