ବିଧାନସଭା ନିର୍ବାଚନରେ ମହିଳା ଉପେକ୍ଷିତ

ଯାଜପୁର,୨ା୧୦ (ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର କୌଣସି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମହିଳାଙ୍କୁ ଅଗ୍ରାଧିକାର ମିଳୁନାହିଁ। ଫଳରେ ଗତ ୧୬ଟି ବିଧାନସଭା ନିର୍ବାଚନରେ ଏଯାଏ ମାତ୍ର ୪ ଜଣ ମହିଳା ବିଧାୟିକା ହେବାର ସୁଯୋଗ ଲାଭ କରିଛନ୍ତି। ତେବେ ନିକଟରେ ମହିଳା ସଂରକ୍ଷଣ ବିଲ୍‌ ଆଇନ ହେବା ପରେ ଯାଜପୁର ଜିଲାରେ ମହିଳା ବିଧାୟିକା ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି।
ଯାଜପୁର ଜିଲାର ପ୍ରଥମ ମହିଳା ବିଧାୟିକା ହେବାର ଶ୍ରେୟ ସୁକିନ୍ଦା ରାଣୀ ଆନନ୍ଦମଞ୍ଜରୀ ଦେବୀଙ୍କ ନାମରେ ରହିଛି। ୧୯୬୭ ମସିହା ସାଧାରଣ ନିର୍ବାଚନରେ ଆନନ୍ଦମଞ୍ଜରୀ ଦେବୀ ଓଡ଼ିଶା ଜନକଂଗ୍ରେସରୁ ସୁକିନ୍ଦା ନିର୍ବାଚନମଣ୍ଡଳୀରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏଥିରେ ସେ ୧୩,୦୦୫ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଏନ୍‌.ସି. ପତି ୪,୨୭୫ ଭୋଟ ପାଇଥିଲେ। ଏହାପରେ ସେ ଜନକଂଗ୍ରେସରୁ ୧୯୭୧ ନିର୍ବାଚନରେ ପ୍ରାର୍ଥୀ ହୋଇ ଉତ୍କଳ କଂଗ୍ରେସର ସନାତନ ଦେଓଙ୍କଠାରୁ ହାରିଯାଇଥିଲେ। ପୁଣି ୧୯୭୭ ସାଧାରଣ ନିର୍ବାଚନରେ ସେ ଜନତା ପାର୍ଟି ଦଳରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ଦ୍ୱିତୀୟ ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଉକ୍ତ ନିର୍ବାଚନରେ ରାଣୀ ଆନନ୍ଦମଞ୍ଜରୀ ଦେବୀ ୧୨,୮୫୩ ଭୋଟ ଏବଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏସ୍‌ୟୁସିଆଇ (ସୋସିଆଲ ୟୁନିଟ୍‌ ସେଣ୍ଟର ଅଫ୍‌ ଇଣ୍ଡିଆ) ପ୍ରାର୍ଥୀ ମାୟାଧର ନାଏକ ୯,୦୩୭ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଏହାପରେ ଦୀର୍ଘ ୪୬ ବର୍ଷ ହେଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଆଉ କେହି ମହିଳା ଜିତିନାହାନ୍ତି। ପ୍ରାୟ ୩୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ଗୋଟିଏ ପରିବାରରୁ ବାପପୁଅ ନିର୍ବାଚନ ଜିତି ଆସୁଛନ୍ତି। ଜିଲାର ଦ୍ୱିତୀୟ ମହିଳା ବିଧାୟିକା ଭାବରେ ୧୯୯୦ ସାଧାରଣ ନିର୍ବାଚନରେ ଜନତା ଦଳରୁ ପ୍ରମିଳା ମଲ୍ଲିକ ବିଞ୍ଝାରପୁର(ଏସ୍‌ସି) ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ୧୯୯୫ ନିର୍ବାଚନରେ ପ୍ରମିଳା ଜନତା ଦଳରୁ ପ୍ରାର୍ଥୀ ହୋଇ କଂଗ୍ରେସର ଅର୍ଜୁନ ଦାସଙ୍କଠାରୁ ପରାଜିତ ହୋଇଥିଲେ। ଏହାପରେ ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ପ୍ରମିଳା ବିଜେଡିରୁ ବିଧାୟିକା ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ଚଳିତ ବିଧାନସଭାରେ ସେ ବାଚସ୍ପତି ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଛନ୍ତି। ୨୦୦୪ ନିର୍ବାଚନରେ ତୃତୀୟ ମହିଳା ବିଧାୟିକା ହେବାର ସୌଭାଗ୍ୟ ଲାଭ କରିଥିଲେ ଭାଜପାରୁ ସଞ୍ଚିତା ମହାନ୍ତି। ସେ କୋରେଇ ନିର୍ବାଚନ ମଣ୍ଡଳୀରୁ ଭାଜପାର ପ୍ରାର୍ଥୀ ହୋଇ ୬୭,୮୮୮ ଭୋଟ ପାଇ ବିଜୟୀ ହୋଇଥିବାବେଳେ ଜନତା ଦଳ(ଏସ୍‌)ରୁ ଅଶୋକ ଦାସ ୪୮,୭୦୯ ଭୋଟ ପାଇ ପରାଜିତ ହୋଇଥିଲେ। ଏହାପରେ ଏହି ନିର୍ବାଚନ ମଣ୍ଡଳୀରେ ମହିଳାଙ୍କୁ ଅଗ୍ରାଧିକାରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୨୦୧୯ରେ ବରୀ ନିର୍ବାଚନ ମଣ୍ଡଳୀରୁ ସୁନନ୍ଦା ଦାସ ଚତୁର୍ଥ ବିଧାୟିକା ହେବାର ସୁଯୋଗ ଲାଭ କରିଥିଲେ। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ମାତ୍ର ୪ ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଥିଲେ। ଏହାପରେ ଜିଲାର ବିଭିନ୍ନ ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ମହିଳା ପ୍ରାର୍ଥୀମାନେ ବିଜୟୀ ହୋଇପାରିନାହାନ୍ତି। ଭାଜପାରୁ ସଞ୍ଚିତା ମହାନ୍ତି, କଂଗ୍ରେସରୁ ହେମଲତା ଖୁଣ୍ଟିଆ, ଭାଜପାରୁ ବବିତା ମଲ୍ଲିକ, କଂଗ୍ରେସରୁ ବନ୍ଦିତା ପରିଡ଼ା ଓ ସ୍ମୃତିରେଖା ପହି ପ୍ରମୁଖ ପରାଜିତ ହୋଇଥିଲେ। ଜିଲାର ସୁକିନ୍ଦା, କୋରେଇ, ବରୀ ଓ ବିଞ୍ଝାରପୁର ଆସନକୁ ବାଦ୍‌ ଦେଲେ ଅନ୍ୟ ୩ ନିର୍ବାଚନ ମଣ୍ଡଳୀରେ ମହିଳାମାନଙ୍କୁ ସୁଯୋଗ ମିଳିନାହିଁ। ଜିଲାର ବିଭିନ୍ନ ଦଳରୁ ଅନେକ ମହିଳା ନେତ୍ରୀ ସଂଗଠନ କରି ନିଜର ପରାକାଷ୍ଠା ଦେଖାଇ ସାରିଛନ୍ତି। କିନ୍ତୁ ପ୍ରମୁଖ ରାଜନୈତିକ ଦଳଗୁଡିକ ପକ୍ଷରୁ ପୁରୁଷ ପ୍ରାର୍ଥୀଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ଶାସକ ବିଜେଡି ବିଞ୍ଝାରପୁର ଓ ବରୀ ଆସନକୁ ବାଦ୍‌ ଦେଲେ ଅନ୍ୟ କୌଣସି ଆସନରେ ମହିଳାଙ୍କୁ ଟିକେଟ ଦେଇନାହିଁ। ସେହିପରି କଂଗ୍ରେସ କୋରେଇକୁ ବାଦ୍‌ ଦେଲେ ଜିଲାର କୌଣସି ଆସନରେ ମହିଳାମାନଙ୍କୁ ଅଗ୍ରାଧିକାର ଦେଉନାହିଁ। ଭାଜପା ପକ୍ଷରୁ ୨ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଥିଲେ ସୁଦ୍ଧା ସେମାନେ ସେତେଟା ସଫଳ ହୋଇ ପାରିନାହାନ୍ତି। ଏଭଳି ସ୍ଥିତିରେ ଆସନ୍ତା ନିର୍ବାଚନରେ ଶାସକ ବିଜେଡି ସମେତ ଭାଜପା ଓ କଂଗ୍ରେସ ମହିଳାମାନଙ୍କୁ ଟିକେଟ ପ୍ରଦାନରେ ନିଶ୍ଚିତ ଭାବେ ଗୁରୁତ୍ୱ ଦେବ ବୋଲି ମହିଳା ନେତ୍ରୀମାନେ ଆଶା ପ୍ରକାଶ କରିଛନ୍ତି।
ଯାଜପୁର ଜିଲା ବିଜେଡି ସଭାପତି ସରୋଜ କୁମାର ମହାପାତ୍ରଙ୍କୁ ପଚାରିବାରେ ସେ କହିଛନ୍ତି ବିଧାନସଭା ନିର୍ବାଚନରେ ଜିଲାର ୨ ଜଣ ମହିଳାଙ୍କୁ ସୁଯୋଗ ଦିଆଯାଉଛି। ଏହାସହ ଲୋକ ସଭା ଆସନ ପାଇଁ ମଧ୍ୟ ଜଣେ ମହିଳାଙ୍କୁ ଟିକେଟ ପ୍ରଦାନ କରାଯାଉଛି। ଏହିକ୍ରମରେ ଆସନ୍ତା ନିର୍ବାଚନରେ ମଧ୍ୟ ୨ ଜଣ ମହିଳାଙ୍କୁ ବିଧାନସଭା ପାଇଁ ସୁଯୋଗ ଦେବାକୁ ଯୋଜନା ରହିଛି।