ରାଜ୍ୟରେ ମହିଳା, ଶିଶୁ ଅସୁରକ୍ଷିତ, ଗୁଡୁ ମୁସ୍‌ଲିମ ସୁରକ୍ଷିତ: ଭାଜପା

ଭୁବନେଶ୍ୱର,୨୩।୪(ବ୍ୟୁରୋ): ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ ମହିଳା ବିରୋଧୀ ଅତ୍ୟାଚାରରେ ଓଡ଼ିଶା ସର୍ବାଗ୍ରେ ରହିଛି । ବିଜେଡି ସରକାର ମହିଳା ସୁରକ୍ଷାକୁ ଆଦୌ ଗୁରୁତ୍ୱ ଦେଉନାହାନ୍ତି ା ‘୫-ଟି’ ଓ ‘ମୋ ସରକାର’ ବୋଲି ମିଥ୍ୟା ପ୍ରହେଳିକା କରି ଲୋକଙ୍କୁ ଭ୍ରମିତ କରୁଛନ୍ତି। ଗତ ୧୬ ତାରିଖରେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ର କାଞ୍ଜିବାହାଳିଠାରେ ତାରିଣୀ ଉତ୍ସବ ଦେଖି ୩ଜଣ ଆଦିବାସୀ ନାବାଳିକା ଘରକୁ ଫେରିବାବେଳେ ଗଣବଳାତ୍କାରର ଶିକାର ହୋଇଥିଲେ। ଅଭିଯୋଗ କରାଯିବା ସତ୍ତ୍ୱେ ପୋଲିସ ୪ଦିନ ପରେ ମାମଲା ରୁଜୁ କରିଥିଲା ା ଅପରପକ୍ଷରେ ବଳାତ୍କାର ପୀଡିତାଙ୍କ ପରିବାରକୁ ବୁଝାଇସୁଝାଇ ମାମଲା ରୁଜୁ ନ କରିବା ପାଇଁ ଚାପ ପକାଯାଉଥିଲା ା ରାଜ୍ୟ ସରକାର ମହିଳା ଓ ଶିଶୁମାନଙ୍କ ପ୍ରତି ଏତେ ସମ୍ବେଦନହୀନ କ’ଣ ପାଇଁ ବୋଲି ରାଜ୍ୟ ଭାଜପା ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର ପ୍ରଶ୍ନ କରିଛନ୍ତି।
ଶନିବାର ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଲେଖାଶ୍ରୀ କହିଛନ୍ତି, ରାଜ୍ୟରେ ବଳାତ୍କାର, ହତ୍ୟା, ଅପହରଣ ବଢ଼ୁଥିଲେ ମଧ୍ୟ ରୋକିବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି ା ଲାଞ୍ଜିଗଡ଼ର ୩ ନାବାଳିକା ବଳାତ୍କାରୀଙ୍କୁ ପୋଲିସ ଧରିପାରିଲା ନାହିଁ। ଶୁକ୍ରବାର କଟକର ମଧୁପାଟଣାଠାରେ କଲେଜ ଛାତ୍ରୀଙ୍କୁ ବଳାତ୍କାର ହୋଇଥିଲେ ବି ଅପରାଧୀର ଟେର୍‌ପାଉନି ପୋଲିସ। ଓଡ଼ିଶାରେ ପୋଲିସ ପ୍ରଶାସନ, ଗୋଇନ୍ଦା ବ୍ୟବସ୍ଥାର କ୍ଷୟ ଘଟିଛି ବୋଲି ସେ କହିଛନ୍ତି ା ଅନ୍ୟ ପକ୍ଷରେ କୁଖ୍ୟାତ ଅପରାଧୀ ଅତିକ୍‌ ଅହମ୍ମଦଙ୍କ ଘନିଷ୍ଠ ସହଯୋଗୀ ଗୁଡୁ ମୁସ୍‌ଲିମ ପୁରୀଠାରେ ଥିବାର ସୂଚନା ଦେଇଛି ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ା ତାହାହେଲେ ଓଡ଼ିଶା ପୋଲିସ, ଗୋଇନ୍ଦା ବିଭାଗ କ’ଣ କରୁଥିଲା। ଗୁଡୁଙ୍କ ଲିଙ୍କ୍‌ ବରଗଡ଼ରେ ରହିଛି ଏବଂ ତାଙ୍କ ଘନିଷ୍ଠ ସହଯୋଗୀ ହେଉଛି ଭଟଲିର ରାଜା ଖାନ୍‌, ଯିଏ କି ବିଜେଡିର ବାହୁବଳୀ ନେତା ତଥା ଭଟଲି ବିଧାୟକ ସୁଶାନ୍ତ ସିଂଙ୍କ ସହଯୋଗୀ। ମହିଳାମାନେ ଓଡ଼ିଶାକୁ ସୁରକ୍ଷିତ ମନେକରୁ ନ ଥିବାବେଳେ ଗୁଡୁ ମୁସ୍‌ଲିମ ଭଳି କୁଖ୍ୟାତ ଅପରାଧୀମାନେ ସୁରକ୍ଷିତ ଭାବୁଛନ୍ତି। ଏହା ଅତ୍ୟନ୍ତ ଚିନ୍ତାର କାରଣ ବୋଲି ଲେଖାଶ୍ରୀ କହିଛନ୍ତି ା
ଅନ୍ୟପକ୍ଷରେ ବିଜେଡି ମଧ୍ୟ ଲେଖାଶ୍ରୀଙ୍କ ଉପରେ ବର୍ଷିଛି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ମୁଖପାତ୍ର ଈପ୍ସିତା ସାହୁ କହିଛନ୍ତି, ଉତ୍ତରପ୍ରଦେଶ ଘଟଣାରେ ସମ୍ପୃକ୍ତ ଜଣେ କୁଖ୍ୟାତ ଅପରାଧୀ ସହ ଆପରାଧିକ ପୃଷ୍ଠଭୂମି ଥିବା ବରଗଡ଼ର ଜଣେ ଯୁବକଙ୍କ ସମ୍ପୃକ୍ତି ବିଷୟ ଜଣାପଡ଼ିବା ପରେ ଏହାକୁ ନେଇ ଅବାନ୍ତର ବୟାନ ଦେଇଥିବା ଭାଜପା ନେତ୍ରୀ ଲେଖାଶ୍ରୀଙ୍କୁ ଅପଦସ୍ଥ ହେବାକୁ ପଡ଼ିଛି । ବରଗଡ଼ର ଏହି ଅଭିଯୁକ୍ତ ସହିତ ଜଣେ ଜେଲ ଫେରନ୍ତା ଭାଜପା ନେତାଙ୍କ ଲିଙ୍କ୍‌ ରହିଛି ବୋଲି ବିଜେଡି ପକ୍ଷରୁ ପାଲଟା ଅଭିଯୋଗ କରାଯାଇଛି ।

Share