ଝିଅଙ୍କ ଆଗରେ ଚାଲିଗଲା ମା’ଙ୍କ ଜୀବନ

ଭୋଗରାଇ,୧୮।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ଥାନା ଅଧୀନ ଦେଉଳା-ଗଣେଶ୍ୱରପୁର ରାସ୍ତା କାଳାହି ଛକଠାରେ ଗୁରୁବାର ଏକ ବାଇକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ କାଳାହି ଗ୍ରାମର ରାଜେନ୍ଦ୍ର ଦାସ ମହାପାତ୍ରଙ୍କ ସ୍ତ୍ରୀ ରିନାରାଣୀ।

ରିନାରାଣୀ ତାଙ୍କ ଝିଅଙ୍କ ସହିତ ଦେଉଳା ହାଟରୁ ସଉଦା କିଣି ଘରକୁ ଫେରୁଥିଲେ। ସେତିକିବେଳେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ତାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ସ୍ଥାନୀୟ ଲୋକେ ଏକ ଗାଡ଼ିରେ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ଘଟାଇଥିବା ବାଇକ୍‌ ଆରୋହୀ ଉକ୍ତ ଗ୍ରାମର ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଗ୍ରାମବାସୀ ଯୁବକଙ୍କୁ ଅଟକ ରଖି ଗାଁରେ ଏକ ବୈଠକ କରୁଥିବା ସୂଚନା ମିଳିଛି। ଭୋଗରାଇ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।