ମହିଳାଙ୍କୁ ସ୍ବାବଲମ୍ବୀ କରିଛି କତା କଣ୍ଢେଇ

ଚାରିଛକ, ୨୧ା୧୨(ଶିଶିର ସ୍ବାଇଁ)ସାଧାରଣତଃ ନଡ଼ିଆ ଖାଇସାରିଲା ପରେ ଷଢେଇ ଓ କତାକୁ ଆମେ ଅଦରକାରୀ ଭାବି ଫିଙ୍ଗିଦେଇଥାଉ। ତେବେ କେତେଜଣ ମହିଳା ସେହି ନଡ଼ିଆକତାରେ ଗଦି, ପାପୋଛୋ, ଭଳି ଅନେକ ଘର କରଣା ଜିନିଷ ତିଆରି କରି ସ୍ବାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି। ନଡ଼ିଆକତାକୁ ନେଇ ପୁରୀ ଜିଲା ନିମାପଡ଼ା ବ୍ଲକ ଭୋଗସାଳଦା ପଞ୍ଚାୟତ ଅନ୍ତର୍ଗତ ନଢଣା ଗାଁର ମହିଳା ଗୋଷ୍ଠୀଙ୍କ ପାଇଁ ଆଜି ଏହି ଗ୍ରାମ ଓଡ଼ିଶା ସରକାରଙ୍କ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା କତା କଣ୍ଢେଇ ଗାଁର ମାନ୍ୟତା ପାଇଛି। ନିମାପଡ଼ାରୁ ଚାରିଛକକୁ ଗଲାବେଳେ ମୁଖ୍ୟରାସ୍ତା ପାର୍ଶ୍ୱରେ ପଡ଼େ ସାଇଲୋ ଛକ। ସେହି ଛକରୁ ବାମପଟକୁ ଗଲେ ଆସେ ନଢ଼ଣା। ଏହି ଗାଁରେ ପ୍ରାୟ ୧୦୦ ପରିବାର ବସବାସ କରନ୍ତି। ଗାଁ ମୁଣ୍ଡରେ ଶିବ ମନ୍ଦିର, ଭୋଗସାଳଦା ଉଚ୍ଚ ବିଦ୍ୟାଳୟ ଏବଂ କିଛି ଦୂରରେ ଗୋପୀନାଥ କତା ହସ୍ତଶିଳ୍ପ ଉତ୍ପାଦକ ଗୋଷ୍ଠୀ ରହିଛି। ଏହି କେନ୍ଦ୍ର ସଭାନେତ୍ରୀ ରୋଜାଲିନ ନାୟକ ଓ ସମ୍ପାଦିକା ଡଲି ଭୋଇଙ୍କ ନେତୃତ୍ୱରେ ଚାଲିଆସୁଛି। ଏଠାରେ ୭ ବର୍ଷ ହେବ କତାରେ ଆକର୍ଷଣୀୟ କଳାକୃତି ନିର୍ମାଣ କରି ପ୍ରଶଂସା ଓ ପରିଚିତ ହାସଲ କରିଥିବା କୁଶଳୀ କାରିଗର ଅଛନ୍ତି। ସେ ହେଲେ ନିମାପଡ଼ା ବ୍ଲକ ଅନ୍ତର୍ଗତ ଗୋପୀନାଥ ପାଟଣା ଗ୍ରାମର ଅମୀୟ ପୋଦାର। ୨୦୦୯ ମସିହାରୁ ସେ ନିଜସ୍ବ ଜ୍ଞାନକୌଶଳରେ କତାଶିଳ୍ପ ଆରମ୍ଭ କରିଥିଲେ। ୨୦୧୨ମସିହାରେ ରାଜ୍ୟ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ସହାୟତାରେ ସେ ବିଭିନ୍ନ ଜିଲାରେ ପ୍ରଶିକ୍ଷଣ ଦେଇ ନୂଆ କାରିଗର ସୃଷ୍ଟି କରିଥିଲେ। ୨୦୧୫ ମସିହାରେ ସେ ନିଜ ବ୍ଲକର ବିଭିନ୍ନ ଅଞ୍ଚଳରେ ଗରିବ ରୋଜାଗାରହୀନ ମହିଳାଙ୍କୁ ପ୍ରଶିକ୍ଷଣ ଦେଇ ସ୍ବାବଲମ୍ବୀ କରାଇପାରିଛନ୍ତି। ନଢ଼ଣା ଗାଁରେ ପାଞ୍ଚବର୍ଷ ହେବ ପ୍ରାୟ ୬୦ ଜଣ ମହିଳାଙ୍କୁ ନେଇ ସେ ଏକ ଛୋଟ ଘରେ ପ୍ରଶିକ୍ଷଣ ଦେଉଥିଲେ। ମହିଳାମାନେ ପ୍ରଣିକ୍ଷଣ ପାଇବା ପରେ ରଙ୍ଗବେରଙ୍ଗର କତା କଣ୍ଢେଇ, ଚଢ଼େଇ ବସା, ଫୁଲତୋଡ଼ା, ଘର, ବିଭିନ୍ନ ପ୍ରକାର ଗଛ ଆଦି ତିଆରି କରି ବଜାରକୁ ବିକ୍ରି କରିବା ପାଇଁ ପଠାଉଛନ୍ତି। ଆମ ଦେଶରେ କତା କଣ୍ଢେଇର ଆଦର ରହିଛି। ଏହାକୁ ବିଦେଶକୁ ମଧ୍ୟ ରପ୍ତାନି କରାଯାଉଛି। ଏହି ସୁନ୍ଦର କଣ୍ଢେଇ ସବୁ ଆମାଜନ, ଫ୍ଲିପକାର୍ଟ ଭଳି ଅନଲାଇନ ସଂସ୍ଥା ମାଧ୍ୟମରେ ମଧ୍ୟ ବିକ୍ରି କରାଯାଉଛି। ଏବେ ଓଡ଼ିଶାରେ ନଢଣା ଗାଁ ଏକ ଉଦାହରଣ ପାଲଟିଛି। ଏହି ଗାଁର ମହିଳାମାନେ ସ୍ବାବଲମ୍ବୀ ହେବା ସହିତ ନିଜ ପରିବାର ପାଇଁ କିଛି କରିପାରୁଥିବାରୁ ବହୁତ୍ ଖୁସି ଅଛନ୍ତି। ସରକାରଙ୍କ ତରଫରୁ ଏମାନଙ୍କୁ ଯଦି ଅଧିକ ପ୍ରୋତ୍ସାହନ ଓ ସୁବିଧା ସୁଯୋଗ ଯୋଗାଇ ଦିଆଯାଏ ତେବେ ଏମାନେ ଆଗକୁ ଯାଇପାରିବେ ବୋଲି ପ୍ରକାଶ କରିଛନ୍ତି।

Share