ବ୍ରାଉନସୁଗାର କାରବାରରେ ମହିଳା

ପୁରୀ ଅଫିସ, ୧୧। ୧୦: ପୁରୀ ସହରରେ ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଗତ କିଛିଦିନ ହେବ ବ୍ରାଉନସୁଗାର କାରବାର ବଢିଛି। ବାହାରୁ ଚୋରାରେ ବ୍ରାଉନସୁଗାର ଆସୁଥିବାବେଳେ ଏଠାରେ ଏହି କାରବାର ଅପରେଟ୍‌ କରୁଛନ୍ତି ମହିଳା ଓ ଯୁବତୀ। କେତେକ ଘଟଣାରୁ ଏହା ଜଣାପଡ଼ିବା ଏବେ ପୋଲିସ ପାଇଁ ଚିନ୍ତାର କାରଣ ହୋଇଛି।
ଅନ୍ତର୍ଜାତୀୟ ପର୍ଯ୍ୟଟନ ସହର ପୁରୀ। ଏଠାକୁ ଦେଶ ବିଦେଶର ଯାତ୍ରୀ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସିଥାନ୍ତି। ଏଠାରେ ପ୍ରାୟ ଅନେକ ପ୍ରକାର ନିଶା ଉପଲବ୍ଧ ହୋଇଥାଏ କହିଲେ କିଛି ଅତ୍ୟୁକ୍ତି ହେବ ନାହିିଁ। ତେବେ ସହଜ ଉପାୟରେ ଅଧିକ ଲାଭ ଆଶାରେ ବ୍ରାଉନସୁଗାର କାରବାରକୁ ଅନେକେ ଆପଣାଇଛନ୍ତି। ବାଲେଶ୍ୱରରୁ ପୁରୀକୁ ବ୍ରାଉନସୁଗାର ଆସୁଛି। କେତେଜଣ ଯୁବକ ବ୍ରାଉନସୁଗାର ଆଣି ପୁରୀରେ ପହଞ୍ଚାଉଛନ୍ତି। ଏଠାରେ ମହିଳା ଓ ଯୁବତୀ ଏହାକୁ ବିକ୍ରି କରୁଛନ୍ତି। ସାଧାରଣତଃ ମହିଳା ଓ ଯୁବତୀଙ୍କ ଉପରେ ପୋଲିସର ନଜର ପଡ଼େ ନାହିଁ। ତେଣୁ ସେମାନେ ଏହି କାରବାରରେ ସମ୍ପୃକ୍ତ ହେଉଥିବା ଜଣାପଡ଼ିଛି। ପୁରୀ ସହରକୁ ଚୋରାରେ ବ୍ରାଉନସୁଗାର ଚାଲାଣ ହେଉଥିବା ବେଳେ ଗତ ୧୨ଦିନରେ ପୋଲିସ ଦୁଇଥର ଜବତ କରିସାରିଲାଣି। ସେହିପରି ୪ ମହିଳାଙ୍କ ସମେତ ମୋଟ ୧୧ ଜଣଙ୍କୁ ଗିରଫ କରାଗଲାଣି।
ଗତ ମାସ ୨୩ ତାରିଖରେ ବାସେଳି ସାହି ଥାନା ପୋଲିସ ମଙ୍ଗଳାଘାଟଠାରେ ଗାଡ଼ି ଯାଞ୍ଚ କରୁଥିଲା। ଏହି ସମୟରେ ହରେକୃଷ୍ଣପୁର ପଟୁ ଦୁଇଜଣ ଗୋଟିଏ ବାଇକ୍‌ରେ ଆସୁଥିଲେ। ପୋଲିସ ଅଟକାଇ ଯାଞ୍ଚ କରିବାରୁ ସେମାନଙ୍କଠାରୁ ୧୫ଗ୍ରାମ ବ୍ରାଉନସୁଗାର ମିଳିିଥିଲା। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଥିଲା। ସେମାନଙ୍କ ମଧ୍ୟରେ ଜଣେ ଯୁବତୀ ଓ ଜଣେ ମହିଳା ଥିଲେ। ଯୁବତୀ ଜଣଙ୍କ ଗିରଫ ଯୁବକଙ୍କ ସହ ବାଲେଶ୍ୱର ଜିଲାର ଜଳେଶ୍ୱରରୁ ବ୍ରାଉନସୁଗାର ଆଣି ଆସୁଥିଲେ। ସେମାନେ ଏଠାରେ ଜଣେ ମହିଳାଙ୍କୁ ତାହା ଦେଇଥାନ୍ତେ ବୋଲି ପୋଲିସ ଗଣମାଧ୍ୟମକୁ କହିଥିଲା। ସେହିପରି ୪ତାରିଖରେ ବାସେଳି ସାହି ଥାନା ପୋଲିସ ମଙ୍ଗଳାଘାଟରେ ଗାଡ଼ିି ଯାଞ୍ଚ କରୁଥିବାବେଳେ ଏକ କାର୍‌ ଓ ବାଇକ୍‌ରୁ ୨୭୫ ଗ୍ରାମ୍‌ ବ୍ରାଉନସୁଗାର ମିଳିଥିଲା। ଏହି ଘଟଣାରେ ପ୍ରଥମ ଦିନ ୬ ଯୁବକ ଓ ୫ ତାରିଖରେ ଫେରାର ଥିବା ୨ଜଣ ମହିଳାଙ୍କୁ ପୋଲିସ ଗିରଫ କରିଥିଲା। ଏମାନେ ଚୋରାରେ ବ୍ରାଉନସୁଗାର ଆଣି ପୁରୀ ସହରର କେତେଜଣ ଯୁବତୀ ଓ ମହିଳାଙ୍କୁ ଦେବା ପାଇଁ ଆସୁଥିବା ପୋଲିସ ପଚରାଉଚରା ବେଳେ ଜାଣିବାକୁ ପାଇଥିଲା। ଏ ସମ୍ପର୍କରେ ଏସ୍‌ପି ଅଖିଳେଶ୍ୱର ସିଂଙ୍କୁ ପଚାରିବାରେ କହିଛନ୍ତି, ପୁରୀ ସହରରେ ମହିଳାମାନେ ହିିଁ ମୁଖ୍ୟତଃ ବ୍ରାଉନସୁଗାର ବ୍ୟବସାୟ କରୁଛନ୍ତି। ପୋଲିସ ଏହା ଉପରେ କଡ଼ା ନଜର ରଖିଛି। କେତେଜଣ ମହିଳାଙ୍କୁ ଧରାଯାଇଛି ଏବଂ ଅନ୍ୟମାନଙ୍କୁ ମଧ୍ୟ ଗିରଫ କରାଯିବ।

Share