ଏହି ରାଜ୍ୟର ମହିଳାମାନେ କରୁଛନ୍ତି ‘କରୋନା ମାଇ’ ପୂଜା

ବାରାଣସୀ,୧୬।୫: କରୋନା ଭାଇରସ୍‌ ମହାମାରୀ ସାରା ଦେଶରେ ତାଣ୍ଡବ ରଚୁଛି। ସାରା ରାଜ୍ୟରେ ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ପରିସ୍ଥିତି ଏଭଳି ହୋଇଛି ଯେ, କେତେକ ରାଜ୍ୟରେ ଲକ୍‌ଡାଉନ ମଧ୍ୟ ବିଫଳ ହେଉଥିବା ନଜର ଆସିଛି। ଏଭଳି ସ୍ଥିତିରେ ଏବେ ନିଜ ଆସ୍ଥା ଓ ବିଶ୍ୱାସ ଉପରେ ନିର୍ଭର କରୁଛନ୍ତି ଲୋକେ। ଏହି ମହାମାରୀ ସମୟରେ ଉତ୍ତରପ୍ରଦେଶ ବାରାଣସୀରୁ କିଛି ଏଭଳି ଆଶ୍ଚର୍ଯ୍ୟଜନକ ଦୃଶ୍ୟ ସାମ୍ନାକୁ ଆସିଛି।

ମହିଳାମାନେ ଏହି ଭୟଙ୍କର ଭାଇରସ୍‌କୁ ‘କରୋନା ମାଇ’ ଭାବେ ପୂଜାର୍ଚ୍ଚନା କରୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, କରୋନାକୁ ହରାଇବା ପାଇଁ ସମସ୍ତେ ନିଜ ନିଜ ଉପାୟରେ ଯଥାସମ୍ଭବ ଚେଷ୍ଟା କରୁଛନ୍ତି। ଇତିମଧ୍ୟରେ ଧର୍ମ ନଗରୀ କାଶୀର ଗଙ୍ଗା ଘାଟରେ ଏହି ମହାମାରୀକୁ ଆସ୍ଥା ସହିତ ଜଡି ପୂଜାର୍ଚ୍ଚନା କରାଯାଉଥିବା ଦେଖିବାକୁ ମିଳିଛି।

ଗଙ୍ଗାଘାଟରେ ମହିଳାମାନେ ସକାଳେ ଓ ସନ୍ଧ୍ୟାରେ କରୋନାକୁ ଦେବୀ ଭାବି ପୂଜାପାଠ କରୁଛନ୍ତି। ମହିଳାମାନେ ଏହି ପୂଜା ଦୀର୍ଘ ୨୧ଦିନ ଧରି ଜାରି ରଖିବେ। ଦେବୀ ମା’ ଏହି ରୋଗରୁ ତାଙ୍କୁ ଓ ତାଙ୍କ ପରିବାରକୁ ଦୂରେଇ ରଖିବା ସହ ଶୀଘ୍ର ମୁକ୍ତି ଦେବେ ବୋଲି ସେମାନଙ୍କର ବିଶ୍ୱାସ ରହିଛି ବୋଲି ଜଣେ ମହିଳା ଭକ୍ତ କହିଛନ୍ତି।

Share