ପଟ୍ଟାଙ୍ଗୀ,୬ା୧୨(ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତର କାକିପାଡୁ ଗ୍ରାମରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି। ଗୁଣିଗାରେଡ଼ିି ସନ୍ଦେହରେ ଜଣେ ବ୍ୟକ୍ତି ତାଙ୍କ ବଡ଼ମା’ଙ୍କୁ ହତ୍ୟା କରିଛନ୍ତି। ଘଟଣା ପରେ ସେ ପରିବାର ସହ ଫେରାର ହୋଇଯାଇଛନ୍ତି। ଖବରରୁ ଜଣାପଡିଛି ଦିଶାରି ଧନଙ୍କ ସ୍ତ୍ରୀ ତୁଳସା ଗୁଣିଗାରେଡି କରୁଥିବା ନେଇ ତାଙ୍କ ପୁତୁରା ଦିଶାରି ସୁନ୍ଧ ତାଙ୍କୁ ସନ୍ଦେହ କରି ଆସୁଥିଲେ। ଏଥିପାଇଁ ବଡ଼ମା’ଙ୍କ ସହ ତାଙ୍କର ଅନେକଥର ଗଣ୍ଡଗୋଳ ହୋଇଛି। ଉଭୟ ପରିବାର ତୁଳସା ଓ ସୁନ୍ଧଙ୍କୁ ବୁଝାଶୁଝା କରୁଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ନିକଟରେ ତୁଳସା ସୁନ୍ଧଙ୍କୁ ତୋର ବାପାକୁ ଯେମିତି ମାରିଥିଲି ତତେ ମଧ୍ୟ ସେମିତି ମାରିଦେବି ବୋଲି ଧମକ ଦେଇଥିଲେ। ଏହାକୁ ନେଇ ସୁନ୍ଧ ତୁଳସାଙ୍କ ଉପରେ ରାଗ ରଖିଥିଲେ। ସୋମବାର ତୁଳସା ଘର ନିକଟସ୍ଥ ପାଇପରୁ ପାଣି ସଂଗ୍ରହ କରୁଥିବା ବେଳେ ସୁନ୍ଧଙ୍କୁ ଦେଇଥିବା ପୂର୍ବ ଧମକଚମକକୁ ନେଇ ଉଭୟଙ୍କ ମଧ୍ୟରେ ପୁଣି ଯୁକ୍ତିତର୍କ ହୋଇଥିଲା। ଏହି ସମୟରେ ସୁନ୍ଧ ହାତରେ ଧରିଥିବା ଏକ ଧାରୁଆ ଅସ୍ତ୍ରରେ ତୁଳସାଙ୍କ ବେକକୁ ହାଣି ଦେଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ସୁନାବେଡା ଏସ୍ଡିପିଓ ମନୋଜ ବେହେରା ପୋଲିସ ଟିମ୍ ସହ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇ ଥିଲେ।