୬୫ ହଜାର ଜାତୀୟ ପତାକା ପ୍ରସ୍ତୁତ କଲେ ମହିଳା

ସୋନପୁର,୧୩।୮(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ଜିଲାର ୧୦୦ରୁ ଊର୍ଦ୍ଧ୍ୱ ମହିଳା ୬୫ ହଜାର ଜାତୀୟ ପତାକା ପ୍ରସ୍ତୁତ କରିଛନ୍ତି। ମାତ୍ର ୫ ଦିନ ଭିତରେ ମହିଳାମାନେ ୮/୧୨ ଇଞ୍ଚ ସାଇଜର କପଡା ପତାକା ପ୍ରସ୍ତୁତି କରିବାରେ ସକ୍ଷମ ହୋଇଛନ୍ତି। ଆସନ୍ତା ସୋମବାର ସୁଦ୍ଧା ସମସ୍ତ ପତାକା ଜିଲା ପ୍ରଶାସନକୁ ଦିଆଯିବ। ପ୍ରଶାସନ ଏହି ପତାକାଗୁଡିକୁ ଲୋକଙ୍କୁ ମାଗଣରେ ପ୍ରଦାନ କରିବ ବୋଲି ଜଣାପଡିଛି। ଦେଶ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଏହି କ୍ରମରେ ଆସନ୍ତା ଅଗଷ୍ଟ ୧୫ ତାରିଖ ୭୭ତମ ସ୍ବାଧୀନତା ଦିବସ ଅବସରରେ ସମସ୍ତଙ୍କ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ଯୋଜନା ରହିଛି। ରାଜ୍ୟ ସରକାର ଜାତୀୟ ପତାକା ପ୍ରସ୍ତୁତି ଦାୟିତ୍ୱ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକୁ ଦେଇଛନ୍ତି। ସୁବର୍ଣ୍ଣପୁର ଜିଲାର ୬ଗୋଟି ବ୍ଲକ ଲେଭେଲ ଫେଡେରଶନ(ବିଏଲଏଫ)କୁ ଏହି ଦାୟିତ୍ୱ ଦିଆ ଯାଇଥିଲା। ଟେଲରିଂ ଜାଣିଥିବା ସମ୍ପୃକ୍ତ ବ୍ଲକର ଏସଏଚ୍‌ଜି ଓ ପ୍ରଡ୍ୟୁସର ଗ୍ରୁପ୍‌କୁ ବିଏଲଏଫ ଏହି ଦାୟିତ୍ୱ ଦେଇଥିଲା। ୮ ତାରିଖରୁ ସିଲାଇ କାମ ଆରମ୍ଭ ହୋଇଥିଲା। ୧୨ ତାରିଖ ଶନିବାର ସୁଦ୍ଧା ଜିଲା ପାଇଁ ଆବଶ୍ୟକ ଥିବା ୬୫ ହଜାର ଜାତୀୟ ପତାକା ପ୍ରସ୍ତୁତ ହୋଇଛି। ସରକାର ଏ ବାବଦରେ ବିଏଲଏଫଗୁଡିକୁ ପତାକା ପ୍ରତି ୨୫ ଟଙ୍କା ଲେଖାଏଁ ପ୍ରଦାନ କରିବେ ବୋଲି ସ୍ଥିର ହୋଇଛି।