ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲେ ୪ ଗ୍ରାମର ମହିଳା

ଅମରପାଲି,୨୭।୯(ପୀତାମ୍ବର ସାହୁ):ମଦ ବିକ୍ରି ବନ୍ଦ କରିବାକୁ ଏକାଠି ହେଲ ଚାରି ଗ୍ରାମର ମହିଳା। ଏନେଇ ସମସ୍ତ ଚାରି ଗ୍ରାମର ମହିଳା ଏକତ୍ରିତ ହୋଇ ଏକ ବୈଠକ କରିଛନ୍ତି। ଅଞ୍ଚଳରେ ମଦ ବିକ୍ରି ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଉକ୍ତ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଯଦି କେହି ଅମାନ୍ୟ ହୋଇ ମଦ ବିକ୍ରି କରି ସ୍ଥିତି ଭୟାଭୟ ହେବ ବୋଲି ସଂପୃକ୍ତ ମହିଳାମାନେ ବୈଠକରେ ନିଷ୍ପତ୍ତି ନେଇଛନ୍ତି।

ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଗୌଡ଼ଗାଡ, କୁହିଦାଦର ଏବଂ ଦୂର୍ଜନତୈଲା ପଞ୍ଚାୟତର ଦାଦରପାଲି ଓ ମଳିଦାଦର ଗ୍ରାମର ମହିଳା ମାନେ ଏକତ୍ରିତ ହୋଇ ଏକ ବୈଠକ କରି ଏହି ନିଷ୍ପତ୍ତି ନେଇଛନ୍ତି।

ସୂଚନାଯୋଗ୍ୟ ଉପାନ୍ତ ଅଞ୍ଚଳ ଗୌଡ଼ଗାଡ ସମେତ ମାଳିଦାଦର, ଦାଦରପାଲି, କୁହିଦାଦର ରେ ମହୁଲି ମଦ ପ୍ରସ୍ତୁତି ହେବା ସହିତ ଦେଶୀ ବିଦେଶୀ ମଦ ବ୍ୟାପକ ପରିମାଣରେ ବିକ୍ରି ହେଉଥିଲା। ମଦ୍ୟପମାନେ ମଦ ପିଇ ଅନେକ ସମୟରେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହିତ ରାସ୍ତା ଓ ଛକମାନଙ୍କରେ ଆଡ୍ଡା ଜମାଉଥିଲେ। ଫଳରେ ମହିଳା ଓ ଛାତ୍ରୀମାନେ ରାସ୍ତାରେ ଏକାକୀ ଯିବା ଆସିବା କରିପାରୁ ନ ଥିଲେ। ଫଳରେ ଗୌଡ଼ଗାଡ ଗ୍ରାମର ମହିଳାମାନେ ପ୍ରଥମେ ଅଣ୍ଟା ଭିଡ଼ି ଗ୍ରାମରେ ମଦ ବିକ୍ରି ବନ୍ଦ କରିଥିଲେ। ଏହା ସହିତ ଯିଏ ମଦ ପିଇ ଗାଳି ଗୁଲଜ କରିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା।

ଏହା ଦେଖି ପୋଡସି ଗ୍ରାମର ମହିଳା ମାନେ ତାଙ୍କର ସହଯୋଗ ନେଲେ। ଗୌଡ଼ଗାଡ ଗ୍ରାମରେ ଦାଦରପାଲି, ମାଳିଦାଦର, କୁହିଦାଦର ଓ ଗୌଡ଼ଗାଡ ଗ୍ରାମର ମହିଳା ସୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଏକତ୍ରିତ ହୋଇଥିଲେ।
ସମସ୍ତେ ନିଜ ନିଜ ଗ୍ରାମରେ ମଦ ବିକ୍ରି ବନ୍ଦ କରିବାକୁ ଶପଥ କରିଥିଲେ। ପରେ ସମସ୍ତେ ମାଳିଦାଦରରେ ବିକ୍ରି ହେଉଥିବା ଏକ ଢ଼ାବାକୁ ଯାଇ ମଦ ବିକ୍ରି ବନ୍ଦ କରିବାକୁ କହିଥିଲେ। ମହିଳାମାନଙ୍କ ଏହି ନିଷ୍ପତ୍ତିକୁ ଗ୍ରାମବାସୀମାନେ ସମର୍ଥନ କରିଥିବାବେଳେ ତାଙ୍କର ଏହି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି।