ଦଶମ ପାସ୍‌ କଲେ କଲେ ମହିଳା, ମା’ଙ୍କ ଠାରୁ କମ ମାର୍କ ରଖିଛନ୍ତି ପୁଅ

ଦାରିଙ୍ଗବାଡି,୧୯।୫(ଡି.ଏନ.ଏ): ଇଚ୍ଛା ଶକ୍ତି ଆଗରେ ହାର ମାନିଛି ଶିକ୍ଷା। ୪୭ ବର୍ଷୀୟ ସୁଜାତା ୬୦୦ ମାର୍କରୁ ୩୪୬ ମାର୍କ ରଖି ବି୨ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବିବାହର ୩୦ ବର୍ଷ ପରେ ଅଧାରୁ ଛାଡ଼ିଥିବା ପାଠକୁ ସମ୍ପୂର୍ଣ୍ଣ କରିବାକୁ ମନ ବଳେଇଥିଲେ। ଆଉ ସେଥିପାଇଁ ଆରମ୍ଭ କଲେ ଉଦ୍ୟମ। ଏବଂ ସେଥିରେ ତାଙ୍କୁ ପୂର୍ଣ୍ଣ ସଫଳତା ମିଳିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡିର ଲୋହାରା ସାହିରେ।

ଲୋହୋରା ସାହିର ୪୭ ବର୍ଷୀୟ ସୁଜାତା ନାୟକ ଏହି ବର୍ଷ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ତାଙ୍କ ସହ ୧୬ ବର୍ଷର ପୁଅ ଆୟୁଷ ନାୟକ ମଧ୍ୟ ମାଟ୍ରିକ ପରୀକ୍ଷା ଦେଇଛନ୍ତି। ସୁଜତା ନାୟକ ଦାରିଙ୍ଗବାଡି ଲାଲବାହାଦୁର ବିଦ୍ୟାପୀଠରେ ପାଠ ପଢ଼ୁଥିବାବେଳେ ସୁଜାତାଙ୍କ ପୁଅ ଆୟୁଷ ଗ୍ରୀନବାଡି ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ମା’ ସୁଜାତା ୬୦୦ ମାର୍କରୁ ୩୪୬ ମାର୍କ ରଖି ବି୨ ପାଇଥିବା ବେଳେ ପୁଅ ଆୟୁଷ ୨୫୮ ମାର୍କ ରଖି ପାସ୍‌ କରିଛନ୍ତି। ମା’ ଙ୍କ ଠାରୁ ପୁଅଙ୍କ ମାର୍କ କମ୍‌ ରହିଛି ଫଳରେ ଦାରିଙ୍ଗବାଡିରେ ମା’ ଏବଂ ପୁଅ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ସୁଜାତାଙ୍କ ସଫଳତାକୁ ନେଇ ତାଙ୍କ ସ୍ବାମୀ ବିକ୍ରମ ନାୟକ ଖୁସି ବ୍ୟକ୍ତ କରିଛନ୍ତି। ସେହିପରି ଅଞ୍ଚଳରେ ସବୁଠି ମା-ପୁଅଙ୍କ ଚର୍ଚ୍ଚା ଚାଲିଛି। ଅଞ୍ଚଳବାସୀଙ୍କ ପାଇଁ ଅଧାରୁ ପାଠ ଛାଡ଼ିଥିବା ମହିଳା ଓ ପୁରୁଷଙ୍କ ପାଇଁ ସୁଜାତା ଏବେ ଉଦାହରଣ ପାଲଟିଛନ୍ତି। ସୁଜାତାଙ୍କ ସ୍ବାମୀ ବିକ୍ରମ ଜଣେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟରତ। ପରିବାର କହିଲେ ଦୁଇ ଝିଅ ଓ ଦୁଇ ପୁଅ। ବିକ୍ରମ ଜଣେ ମାତ୍ର ରୋଜଗାରିଆ ହୋଇଥିବା ବେଳେ ସ୍ବଳ୍ପ ରୋଜଗାରରେ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦେବା ଓ ଘର ଚଳାଇବା କଷ୍ଟ ବୋଲି କୁହନ୍ତି। ତଥାପି ତାଙ୍କ ସ୍ତ୍ରୀ ଦଶମ ପାସ କରିଥିବାରୁ ସେ ଜିଲା ହେଡ଼ କ୍ୱାଟରରେ ତାଙ୍କୁ ପାଠ ପଢେଇବାକୁ ଇଚ୍ଛା ରଖିଛନ୍ତି। ସେପଟେ ମା’ଙ୍କ ସହ ଆୟୁଷ ମଧ୍ୟ ମିଶିକି କଲେଜ ଯିବେ ବୋଲି ନିଜେ ଗର୍ବ ଅନୁଭବ କରିଥିବା କହିଛନ୍ତି। ସେ ଟ୍ୟୁସନ୍‌ରୁ ଯାହା ଶିଖୁଥିଲେ ତାହା ଆସି ମା’ଙ୍କୁ ଶିଖାଉଥିଲେ ବୋଲି ଆୟୁଷ କହିଛନ୍ତି। ତେବେ ଆୟୁଷଙ୍କ ସ୍ବାସ୍ଥ୍ୟ ସମସ୍ୟା ହେତୁ ସେ ସଠିକ ଭାବେ ଟ୍ୟୁସନ୍‌ ସ୍କୁଲ ଯାଇ ପାରୁ ନ ଥିବା ଯୋଗୁଁ ପରୀକ୍ଷାରେ କମ ନମ୍ବର ରଖିଛନ୍ତି ବୋଲି ସେ କହିଛନ୍ତି। ସେହିପରି ସୁଜାତା କହିଛନ୍ତି ଯେ, ସେ ଯୁୁଆଡେ ଗଲେ ଲୋକେ ତାଙ୍କୁ କେତେ ପାଠ ପଢିଛ ବୋଲି ପଚାରିବାରୁ ତାଙ୍କୁ ଲାଜ ଲାଗିଥିଲା ତେଣୁ ସେ ପାଠ ପଢିବେ ବୋଲି ସ୍ବାମୀ ବିକ୍ରମଙ୍କୁ କହିଥିଲେ। ଏଥିରେ ବିକ୍ରମ ସହଯୋଗ କରିଥିଲେ।