ନାରୀ ବିଲ୍‌: ପାକିସ୍ତାନ ସଂସଦରେ ମହିଳାଙ୍କ ପାଇଁ କେତେ ରହିଛି ସଂରକ୍ଷଣ…

ଇସଲାମବାଦ,୨୩।୯: ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍‌ ବିପୁଳ ସମର୍ଥନରେ ଉଭୟ ଗୃହରେ ପାରିତ ହୋଇଛି। ଏହି ବିଲ ଉପରେ ଦଳ ଏବଂ ବିରୋଧୀ ସର୍ବସମ୍ମତି କ୍ରମେ ଭୋଟ ଦେଇଛନ୍ତି। ତେବେ ଦୁଇ ସାଂସଦ ଏହି ବିଲ ବିରୋଧରେ ଭୋଟ ଦେଇଛନ୍ତି। ଏହି ବିଲ ଆଇନରେ ପରିଣତ ହେଲେ ଲୋକସଭା ଓ ବିଧାନସଭାରେ ୩୩ପ୍ରତିଶତ ମହିଳାଙ୍କ ପାଇଁ ସିଟ୍‌ ସଂରକ୍ଷଣ ହୋଇପାରିବ। କିନ୍ତୁ ୨୦୨୯ପୂର୍ବରୁ ଏହା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ମୋଦି ସରକାର ଘୋଷଣା କରିଛନ୍ତି। ଯାହାକୁ ନେଇ ବିରୋଧୀ ଓ ସରକାର ମୁହାଁମୁହିଁ ହୋଇଛନ୍ତି। ତେବେ ଭାରତ ଛଡା ଆମ ପଡୋଶୀ ଦେଶ ପାକିସ୍ତାନ ଓ ବାଂଲାଦେଶର ସଂସଦରେ ମହିଳା ସଂରକ୍ଷଣର ସ୍ଥିତି କ’ଣ ରହିଛି ଏ ସମ୍ପର୍କରେ…

ଫ୍ରାନ୍ସ ଏବଂ ଦକ୍ଷିଣ କୋରିଆ ସମେତ ବିଶ୍ୱର ଅନେକ ଦେଶର ସଂସଦରେ ମହିଳାଙ୍କ ପାଇଁ ୫୦ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା ରହିଛି। ୧୯୯୦ ଦଶକରେ ନେପାଳ ଓ ଆର୍ଜେଣ୍ଟିନା ଏହି ଦିଗରେ ଉଦ୍ୟମ ଆରମ୍ଭ କରିଥିଲେ। ବିଭିନ୍ନ ପ୍ରକାର ଚେଷ୍ଟା ହେତୁ ଆର୍ଜେଣ୍ଟିନା, ମେକ୍ସିକୋ ଓ କୋଷ୍ଟାରିକାର ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ୩୬ପ୍ରତିଶତରୁ ଅଧିକ ରହିଛି। ଆମେରିକା ଓ ବ୍ରିଟେନରେ କୌଣସି ମହିଳା ସଂରକ୍ଷଣ ନାହିଁ। ତଥାପି ଆମେରିକା ସରକାର ସଂସଦରେ ୨୯ପ୍ରତିଶତ ଓ ବ୍ରିଟେନର ସଂସଦରେ ୩୫ପ୍ରତିଶତ ମହିଳା ସିଟ୍‌ ସଂରକ୍ଷଣ ରହିଛି। ନ୍ୟୁଜିଲ୍ୟାଣ୍ଡ ଏବଂ ୟୁଏଇରେ ୫୦ ପ୍ରତିଶତ ମହିଳା କ୍ଷମତାରେ ଅଛନ୍ତି। ସେହିପରି ୬୧ପ୍ରତିଶତ ମହିଳା କ୍ଷମତାରେ ଥିବା ନେଇ ରୁୱାଣ୍ଡା ଶୀର୍ଷରେ ରହିଛି।

କ୍ଷମତାରେ ମହିଳାଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରିବା ପାଇଁ ପାକିସ୍ତାନର ସରକାର ସମୟ ସମୟରେ ପଦକ୍ଷେପ ନେଇଛନ୍ତି। ବର୍ତ୍ତମାନ ପାକିସ୍ତାନର ୩୩୬ ସଦସ୍ୟ ବିଶିଷ୍ଟ ସଂସଦରେ ୬୦ଟି ସିଟ ୨୧ପ୍ରତିଶତ ମହିଳାମାନଙ୍କ ପାଇଁ ସଂରକ୍ଷିତ ଅଛି। ଏହା ବ୍ୟତୀତ ଅଣ-ମୁସଲମାନ ଅର୍ଥାତ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ୧୦ଟି ସିଟ ସଂରକ୍ଷିତ କରାଯାଇଛି। ତେବେ ପାକିସ୍ତାନର ଅଣ-ମୁସଲମାନ ସମ୍ପ୍ରଦାୟ ସଂସଦରେ ସଂଖ୍ୟାଲଘୁ ସମ୍ପ୍ରଦାୟ ପାଇଁ ସଂରକ୍ଷିତ ଆସନ ସଂଖ୍ୟା ବୃଦ୍ଧି କରିବାକୁ କ୍ରମାଗତ ଭାବରେ ଦାବି କରୁଛନ୍ତି।
ଅଦ୍ୟାବଧି ପାକିସ୍ତାନର ମହିଳାମାନେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି ପଦ ସମେତ ଅନେକ ଶୀର୍ଷ ପଦବୀରେ ରହିଆସିଛନ୍ତି। ବିଧାନସଭାରେ ମହିଳା ବିରୋଧୀ ଦଳର ନେତା, ଫେଡେରାଲ ମନ୍ତ୍ରୀ, ବିଚାରପତି ଏବଂ ସଶସ୍ତ୍ର ବାହିନୀର କମିଶନ ପଦବୀରେ ମଧ୍ୟ ମହିଳା ଅଛନ୍ତି। ଲେଫ୍ଟନାଣ୍ଟ ଜେନେରାଲ ନିଗର ଜୋହର ସେନାର ସର୍ବୋଚ୍ଚ ପଦବୀରେ ଅଛନ୍ତି। ଏଥି ସହିତ, ବେନାଜିର ଭୁଟ୍ଟୋ ୨ ଡିସେମ୍ବର ୧୯୮୮ ରେ ପାକିସ୍ତାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ସେହିପରି ବାଂଲାଦେଶର ୩୫୦ସିଟ ବିଶିଷ୍ଟ ସଂସଦରେ ମହିଳାଙ୍କ ପାଇଁ ୫୦ଟି ସିଟ ସଂରକ୍ଷିତ କରାଯାଇଛି।

 

Share