Categories: ଜାତୀୟ

‘କେବେ ଭାବିଛନ୍ତି କି ମୋଦି ଜୀ କାହିଁକି ୧୦ ବର୍ଷ ଅପେକ୍ଷା କରିଥିଲେ …’ ମହିଳା ସଂରକ୍ଷଣ ବିଲ୍‌ ଉପରେ କହିଲେ କପିଲ ସିବଲ

ନୂଆଦିଲ୍ଲୀ,୧୯।୯: ମହିଳା ସଂରକ୍ଷଣ ବିଲ୍‌ ଉପରେ ରାଜ୍ୟ ସଭା ଏମ୍‌ପି ତଥା ବରିଷ୍ଠ ଓକିଲ କପିଲ ସିବଲ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ପ୍ରଶ୍ନ ଉଠାଇଛନ୍ତି ଯେ ଯେତେବେଳେ ସମସ୍ତ ଦଳ ଏହି ବିଲ୍‌କୁ ସମର୍ଥନ କରୁଥିଲେ, ସେତେବେଳେ ୧୦ ବର୍ଷ ଅପେକ୍ଷା କରିବାର ଆବଶ୍ୟକତା କ’ଣ ଥିଲା? ସିବଲ କହିଛନ୍ତି, ୨୦୨୪ ରେ ହେବାକୁ ଥିବା ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହା କରାଯାଇଛି। ବୁଧବାର ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ଉପସ୍ଥାପିତ ହେବ ବୋଲି ଆଶା କରାଯାଉଛି।

କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ ସୋମବାର ସୋସିଆଲ ମିଡିଆ ପ୍ଲାଟଫର୍ମ ‘X ’ରେ ପୋଷ୍ଟ କରିଥିଲେ ଯେ, ମହିଳା ସଂରକ୍ଷଣ ବିଲ୍‌କୁ କ୍ୟାବିନେଟ ଅନୁମୋଦନ କରିଛି। ତେବେ ସେ ଏକ ଘଣ୍ଟା ମଧ୍ୟରେ ଏହି ପୋଷ୍ଟକୁ ଡିଲିଟ୍‌ କରିଦେଇଛନ୍ତି। ସୋମବାର ସାରେ ୯୦ ମିନିଟ ଧରି ଚାଲିଥିବା କ୍ୟାବିନେଟ୍‌ ବୈଠକ ସମ୍ପର୍କରେ କୌଣସି ସରକାରୀ ସୂଚନା ପ୍ରକାଶ କରାଯାଇନାହିଁ। କିନ୍ତୁ ଆଲୋଚନା ଜୋରଦାର ହେଉଛି ଯେ ମହିଳା ସଂରକ୍ଷଣ ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛି।

ଏଥି ସହିତ ପୂର୍ବତନ କଂଗ୍ରେସ ନେତା କପିଲ ସିବଲ ‘X ’ରେ ଲେଖିଛନ୍ତି, ଆଶ୍ଚର୍ଯ୍ୟଜନକ ହେଉଛି କି ମହିଳା ସଂରକ୍ଷଣ ବିଲ୍‌କୁ ଆଗତ କରିବାକୁ ପ୍ରଧାନମନ୍ତ୍ରୀ ମୋଦି କାହିଁକି ୧୦ ବର୍ଷ କାହିଁକି ଅପେକ୍ଷା କରିଥିଲେ। ବୋଧହୁଏ ୨୦୨୪ ଏହାର କାରଣ ଅଟେ। କିନ୍ତୁ ଯଦି ସରକାର ଓବିସି ମହିଳାଙ୍କୁ କୋଟା ପ୍ରଦାନ କରୁନାହାଁନ୍ତି, ତେବେ ୨୦୨୪ରେ ଭାଜପା ମଧ୍ୟ ୟୁପିରେ ହାରିପାରେ। ଟିକେ ଏହା ବିଷୟରେ ଚିନ୍ତା କରିବେ।

Share