Categories: ଜାତୀୟ

‘ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ହେବା ଏକ ସୁବର୍ଣ୍ଣ ମୁହୁର୍ତ୍ତ’, ସମସ୍ତ ଏମପିଙ୍କୁ ଧନ୍ୟବାଦ ଦେଲେ ମୋଦି

ନୂଆଦିଲ୍ଲୀ,୨୧।୯: ଲୋକ ସଭାରେ ମହିଳା ସଂରକ୍ଷଣ ବିଲ ପାସ ଭାରତର ସଂସଦୀୟ ଯାତ୍ରାରେ ଏକ ସୁବର୍ଣ୍ଣ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର କହିଛନ୍ତି ଯେ ମାତୃ ଶକ୍ତିର ଆତ୍ମବିଶ୍ୱାସ ଦେଶକୁ ଏକ ନୂତନ ଦିଗ ଦେବ। ନିମ୍ନ ଗୃହରେ ଏହି ବିଲ ପାସ କରିବାରେ ବ୍ୟାପକ ସହଯୋଗ କରିଥିବାରୁ ଶାସକ ଦଳର ସମସ୍ତ ସଦସ୍ୟ ତଥା ବିରୋଧୀ ଦଳକୁ ପ୍ରଧାନମନ୍ତ୍ରୀ ମୋଦି କୃତଜ୍ଞତା ଜଣାଇଛନ୍ତି। ସେପ୍ଟେମ୍ବର ୨୦ ରେ, ସଂସଦ ଏବଂ ବିଧାନସଭା ସଭାରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସଂରକ୍ଷଣ ପାଇଁ ଅଣାଯାଇଥିବା ନାରୀ ଶକ୍ତି ବନ୍ଦନ ଆଧିନିୟମ ବିଲ ଲୋକ ସଭାରେ ପାରିତ ହୋଇଥିଲା।
ସକାଳ ୧୧ଟାରୁ ଗୃହ ପ୍ରକ୍ରିୟା ଆରମ୍ଭ ହେବା ମାତ୍ରେ ଲୋକ ସଭା ବାଚସ୍ପତି ଓମ ବିର୍ଲା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୃହକୁ ସମ୍ବୋଧିତ କରିବାକୁ ଆମନ୍ତ୍ରଣ କରିଥିଲେ। ପ୍ରଧାନମନ୍ତ୍ରୀ ସମଗ୍ର ଗୃହକୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ଯେ ଗତକାଲି ଲୋକ ସଭାରେ ଭାରତର ସଂସଦୀୟ ଯାତ୍ରାର ସୁବର୍ଣ୍ଣ ମୁହୂର୍ତ୍ତ ଥିଲା।

Share