Categories: ଜାତୀୟ

ଲୋକ ସଭାରେ ଆଗତ ହେଲା ‘ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍‌’

ନୂଆଦିଲ୍ଲୀ,୧୯।୯: ନୂତନ ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ଆଗତ କରାଯାଇଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଲୋକ ସଭାରେ ମହିଳା ସଂରକ୍ଷଣ ବିଲ୍‌ ଆଗତ କରିଛନ୍ତି। ମହିଳା ସଂରକ୍ଷଣ ବିଲ୍‌ର ନାମ ହେଉଛି ‘ନାରୀ ଶକ୍ତି ବନ୍ଦନ ଅଧିନିୟମ ବିଲ୍‌’। ମହିଳା ସଂରକ୍ଷଣ ବିଲ୍‌ରେ ସମସ୍ତ ଦଳ ଏକାଠି ନଜର ଆସିଛନ୍ତି। ଏଭଳି ପରିସ୍ଥିତିରେ ଏହି ବିଲ୍‌ ଉଭୟ ଗୃହରେ ସହଜରେ ପାରିତ ହେବ ବୋଲି ଆଶା କରାଯାଉଛି। ଏହି ବିଲ୍‌ ଆଇନ ହେବା ପରେ ମହିଳାମାନେ ଲୋକ ସଭା ତଥା ରାଜ୍ୟ ସଭାରେ ୩୩ ପ୍ରତିଶତ ଆସନରେ ସଂରକ୍ଷଣ ପାଇବେ।

ସୋମବାର ସାରେ କେନ୍ଦ୍ର କ୍ୟାବିନେଟ୍‌ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ମହିଳା ସଂରକ୍ଷଣ ବିଲ୍‌ ଉପରେ ଆଲୋଚନା କରାଯାଇଥିଲା। ଏହି ବିଲ୍‌କୁ କେନ୍ଦ୍ର କ୍ୟାବିନେଟ୍‌ ଅନୁମୋଦନ କରିଛି। ନିକଟରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲ୍‌ ସମ୍ବନ୍ଧରେ ସମସ୍ତ ଦଳ ସହମତ ହୋଇଥିଲେ। କଂଗ୍ରେସ କହିଛି ଯେ, ମହିଳା ସଂରକ୍ଷଣକୁ କାର୍ଯ୍ୟକାରୀ କରାଯାଉ ବୋଲି ଦଳ ଦୀର୍ଘ ଦିନ ଧରି ଦାବି କରିଆସୁଥିଲା। କେନ୍ଦ୍ର କ୍ୟାବିନେଟ୍‌ର ନିଷ୍ପତ୍ତି ଖବରକୁ ଆମେ ସ୍ବାଗତ କରୁଛୁ।

Share