ବାରିପଦା,୮ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ବାରିପଦା ସହରରେ ଦିନକୁ ଦିନ ଆପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି। କିଛି ଦିନ ହେଲା ମହିଳା ଲୁଟେରା ସକ୍ରିୟ ହୋଇ ଲୁଟ୍ କରିବାରେ ସଫଳ ହେଉଛନ୍ତି। ଏପରି ଏକ ଘଟଣାରେ ପୋଲିସ ଛାନଭିନ୍ ଚଳାଇ ୩ ମହିଳାଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି।
ସୂଚନା ଅନୁଯାୟୀ, ଜନ୍ମାଷ୍ଟମୀରେ ବାରିପଦା ରାଧାମୋହନ ମନ୍ଦିରରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଭିଡ଼ର ସୁଯୋଗ ନେଇ ୩ ମହିଳା ଲୁଟେରା ଜଣେ ମହିଳାଙ୍କ ବେକରୁ ସୁନାହାର ଲୁଟ୍ କରିଥିଲେ। ଲୁଟ୍ର ଶିକାର ମହିଳା ଜଣକ ପାଟି କରିବାରୁ ଗହଳି ମଧ୍ୟରେ ଲୁଟେରାମାନେ ଛପି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା ସାଦା ପୋଷାକଧାରୀ ପୋଲିସ କର୍ମଚାରୀମାନେ ଘଣ୍ଟାକ ମଧ୍ୟରେ ଲୁଟେରାଙ୍କୁ କାବୁ କରିବା ସହ ଲୁଟ ହାରକୁ ଜବତ କରିଥିଲେ।
ପୋଲିସ ସୂତ୍ରରୁ ପ୍ରକାଶ, ଅନ୍ୟ ରାଜ୍ୟର ମହିଳାମାନେ ପରିବାର ସହ ଆସି ସହରର ବିଭିନ୍ନ ସ୍ଥାନରେ ଡେରା ପକାଇବା ସହ ଘରଭଡ଼ା ନେଇ ରହୁଛନ୍ତି। ଜନଗହଳି ପୂର୍ଣ୍ଣ ଅଞ୍ଚଳକୁ ଯାଇ ସୁଯୋଗ ଦେଖି ଛିନତାଇ କରି ରାତାରାତି ପରିବାର ସହ ଫେରାର ହୋଇଯାଉଛନ୍ତି। ସେହିପରି ପରିବାରରେ ଥିବା ପୁରୁଷମାନେ ଜିଲାର ବିଭିନ୍ନ ସ୍ଥାନକୁ ଯାଇ ଲୁଟ କରିବାର ଯୋଜନା କରିବା ପରେ ମହିଳାମାନଙ୍କୁ କାର୍ଯ୍ୟରେ ଲଗାଇ ଅପରାଧ ଘଟାଇ ଚାଲିଛନ୍ତି। ଅନେକ ଅପରାଧି ନିଜର ପରିଚୟ ବଦଳାଇ ସହରରେ ଆସି ରହୁଛନ୍ତି। ଘର ମାଲିକମାନେ କୌଣସି ପ୍ରମାଣପତ୍ର ନ ରଖି ଭଡ଼ା ଦେଇଚାଲିଛନ୍ତି। ଅଚିହ୍ନା ଅପରିଚିତ ବ୍ୟକ୍ତିଙ୍କ ପ୍ରମାଣପତ୍ର ଯାଞ୍ଚ କରିବାରେ ଜିଲା ପୋଲିସ ମଧ୍ୟ ତପତ୍ରତା ପ୍ରକାଶ କରୁନାହିଁ। ଫଳରେ ପଶ୍ଚିମବଙ୍ଗ ରାଜ୍ୟର ମୁର୍ଷିଦାବାଦ ଜିଲାରୁ ଅନେକ ବ୍ୟକ୍ତି ବାରିପଦା ସହରରେ ଆସ୍ଥାନ ଜମାଇ ସାରିଲେଣି। ଏ ସଂକ୍ରାନ୍ତରେ ବାରିପଦା ସଦର ଏସ୍ଡିପିଓ ସୁଜିତ ପ୍ରଧାନ କୁହନ୍ତି, ମ୍ୟୁନସିପାଲିଟିର ଅଧ୍ୟକ୍ଷଙ୍କ ସହିତ କଥାବାର୍ତ୍ତା ହୋଇଛି। ଖୁବ୍ଶୀଘ୍ର ଘରମାଲିକମାନେ ଭଡ଼ାରେ ରହୁଥିବା ବ୍ୟକ୍ତିଙ୍କ ପରିଚୟ ପତ୍ର ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସହରର ୨୮ ୱାର୍ଡରେ ଥିବା ଅପରିଚିତ ଲୋକଙ୍କ ପରିଚୟପତ୍ର ଦାଖଲ କରିବାରେ ବିଳମ୍ବତା ପ୍ରକାଶ କଲେ ଘର ମାଲିକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।