ଋଣ ଟଙ୍କା ଉଠାଇ ଫେରାର ଥିଲେ, ଏବେ ଜେଲ୍‌ ଗଲେ ମହିଳା ଲୁଟେରା

ଦେବଗଡ଼,୩ା୬(ଡି.ଏନ୍‌.ଏ.): ଗରିବ ଲୋକଙ୍କ ଆଧାର କାର୍ଡ ଓ ପାସବୁକ୍‌କୁ ବ୍ୟବହାର କରି ଋଣ ଉଠାଇ ଆତ୍ମସାତ କରି ଦୀର୍ଘଦିନ ଧରି ଫେରାର ଥିବା ମହିଳାଙ୍କୁ ଶନିବାର ଦେବଗଡ଼ ଥାନା ପୋଲିସ ଗିରଫ କରିଛି। ଗିରଫ ମହିଳା ଜଣକ ହେଲେ ବାରକୋଟ ଥାନା ଅନ୍ତର୍ଗତ ମଧ୍ୟପୁର ଗ୍ରାମର ଯାଜ୍ଞସେନୀ ଧଳ। ଅଭିଯୁକ୍ତ ବିରୋଧରେ ଦେବଗଡ଼ ଥାନା ପୋଲିସ ବିଭିନ୍ନ ଦଫାରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ପୋଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ବାରକୋଟ ଥାନା ମଧ୍ୟପୁର ଗ୍ରାମର ସୁଶାନ୍ତ ଧଳଙ୍କ ସ୍ତ୍ରୀ ଯାଜ୍ଞସେନୀ ୨୦୨୨ ମସିହାରୁ ବିଭିନ୍ନ ସମୟରେ ଗ୍ରାମର ଗରିବ ପରିବାରର ପ୍ରାୟ ୩୪ ଜଣ ମହିଳାଙ୍କୁ ମାଗଣାରେ ୫ ହଜାର ଟଙ୍କା ସହାୟତା ଯୋଗାଇବାର ପ୍ରଲୋଭନ ଦେଖାଇ ସେମାନଙ୍କ ଆଧାର କାର୍ଡ, ବ୍ୟାଙ୍କ ପାସ୍‌ବୁକ୍‌ ଓ ଦସ୍ତଖତ ସଂଗ୍ରହ କରି ଭାରତ ଫାଇନାନ୍ସ, ଅନ୍ନପୂର୍ଣ୍ଣା ଫାଇନାନ୍ସ ଭଳି ବିଭିନ୍ନ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାଠାରୁ ପ୍ରାୟ ୨୭ ଲକ୍ଷ ଟଙ୍କା ଋଣ ଉଠାଇ ଆତ୍ମସାତ କରିଥିଲେ। କିଛିଦିନ ପରେ ଫାଇନାନ୍ସ କମ୍ପାନୀ କର୍ମଚାରୀ ଋଣ ଅସୁଲି ପାଇଁ ଲୋକଙ୍କ ଘରକୁ ଆସିବାରୁ ମହିଳାମାନେ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଯାଜ୍ଞସେନୀ ସେମାନଙ୍କୁ ଠକିଥିବା ଜାଣି ତାଙ୍କୁ ଘଟଣା ସମ୍ପର୍କରେ ପଚାରିବାକୁ ଯାଇଥିଲେ। ଭାରତ ଫାଇନାନ୍ସର କର୍ମଚାରୀ ଜୟ ପ୍ରକାଶ ପ୍ରଧାନଙ୍କ ସହ ମିଶି ଯାଜ୍ଞସେନୀ ଠକେଇ ଶିକାର ମହିଳାଙ୍କୁ ହତ୍ୟା ଧମକ ଦେଇ ଦେଇଥିଲେ। ଏନେଇ ଗତ ମେ’ ୪ ତାରିଖରେ ଠକେଇର ଶିକାର ମହିଳାମାନେ ଦେବଗଡ଼ ଥାନାକୁ ଆସି ଲିଖିତ ଅଭିଯୋଗ କରିଥିଲେ। ସେହିଦିନଠାରୁ ଯାଜ୍ଞସେନୀ ଫେରାର ଥିବାବେଳେ ସେ ନିଜ ବାପ ଘର ଦଣ୍ଡାସିଙ୍ଗାରେ ଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଦେବଗଡ଼ ଥାନା ପୋଲିସ ସେଠାରେ ଚଢ଼ାଉ କରି ଯାଜ୍ଞସେନୀକୁ ଗିରଫ କରିଥିଲା। ସେହିପରି ଆଜି ଅଭିଯୁକ୍ତ ମହିଳାଙ୍କୁ ଦେବଗଡ଼ ଥାନା ପୋଲିସ କୋର୍ଟ ଚାଲାଣ କରିଥିବାବେଳେ ସହଯୋଗୀ ଜୟପ୍ରକାଶ ଏବେ ମଧ୍ୟ ଫେରାର ଥିବା ଜଣାପଡ଼ିଛି।