Categories: ଜାତୀୟ

ମହିଳାମାନେ ଆଇନଗତ ଆତଙ୍କବାଦ ବିସ୍ତାର କରୁଛନ୍ତି: ହାଇକୋର୍ଟଙ୍କ କଠୋର ମନ୍ତବ୍ୟ…

କୋଲକତା,୨୨।୮ : କଲିକତା ହାଇକୋର୍ଟ କହିଛନ୍ତି ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୪୯୮-ଏ ର ଅପବ୍ୟବହାର କରି ମହିଳାମାନେ ଏକ ଉପାୟରେ ଆଇନଗତ ଆତଙ୍କବାଦ ବିସ୍ତାର କରିଛନ୍ତି। ଏହି ନିୟମ ଜଣେ ମହିଳାଙ୍କ ପ୍ରତି ତାଙ୍କ ସ୍ବାମୀ କିମ୍ବା ସମ୍ପର୍କୀୟଙ୍କ ପ୍ରତି ନିର୍ଦ୍ଦୟ ଅପରାଧ କ୍ଷେତ୍ରରେ ଳାଗୁ ହୋଇଥାଏ।

ପଶ୍ଚିମବଙ୍ଗର ସ୍ବପନ ଦାସ ବନାମ ରାଜ୍ୟ ମାମଲାରେ ଜଷ୍ଟିସ ସୁଭେନ୍ଦୁ ସାମନ୍ତ କହିଛନ୍ତି ମହିଳାଙ୍କ ଉନ୍ନତି ପାଇଁ ଧାରା ୪୯୮-ଏ ପ୍ରସ୍ତୁତ କରାଯାଇଛି କିନ୍ତୁ ବର୍ତ୍ତମାନ ମିଥ୍ୟା ମାମଲା ଦାୟର କରି ଏହାର ଅପବ୍ୟବହାର କରାଯାଉଛି। ଜଷ୍ଟିସ ସାମନ୍ତ କହିଛନ୍ତି ସମାଜରୁ ଯୌତୁକ ପ୍ରଥାକୁ ଦୂର କରିବା ପାଇଁ ଧାରା ୪୯୮-ଏ କାର୍ଯ୍ୟକାରୀ କରାଯାଇଛି। କିନ୍ତୁ ବର୍ତ୍ତମାନ ଅନେକ କ୍ଷେତ୍ରରେ ଦେଖାଯାଉଛି ଏହାର ଅପବ୍ୟବହାର ହେଉଛି ।

 

ବାର୍‌ ଏବଂ ବେଞ୍ଚଙ୍କର ଏକ ରିପୋର୍ଟ ଅନୁଯାୟୀ ଜଷ୍ଟିସ ସୁଭେନ୍ଦୁ ସାମନ୍ତ ତାଙ୍କ ରାୟରେ କହିଛନ୍ତି ଧାରା ୪୯୮-ଏ ଅନୁଯାୟୀ କ୍ରୁରତାର ପରିଭାଷାରେ ଦିଆଯାଇଥିବା ନିର୍ଯାତନା କେବଳ ପ୍ରକୃତ ଅଭିଯୋଗକାରିଣୀ ସ୍ତ୍ରୀଙ୍କ ଦ୍ୱାରା ପ୍ରମାଣିତ ହୋଇପାରିବ ନାହିଁ। ଜଣେ ବ୍ୟକ୍ତି ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଧାରା ୪୯୮-ଏ ମାମଲାକୁ ଖଣ୍ଡନ କରିବାବେଳେ କୋର୍ଟ କହିଛନ୍ତି ଅପରାଧ ଆଇନ ଜଣେ ଅଭିଯୋଗକାରୀଙ୍କୁ ଅପରାଧିକ ଅଭିଯୋଗ ଦାଖଲ କରିବାକୁ ଅନୁମତି ଦେଇଥାଏ, କିନ୍ତୁ ଏନେଇ ଠୋସ ପ୍ରମାଣ ଉପସ୍ଥାପନ ଯଥାର୍ଥ।

ଆବେଦନ ଅନୁଯାୟୀ, ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ପ୍ରଥମେ ତାଙ୍କ ସ୍ବାମୀଙ୍କ ବିରୋଧରେ ଅକ୍ଟୋବର ୨୦୧୭ରେ ମାନସିକ ଏବଂ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଥିଲେ। ଏହା ପରେ ପୋଲିସ କିଛି ସାକ୍ଷୀ ଏବଂ ଦମ୍ପତିଙ୍କ ପଡ଼ୋଶୀଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରିଥିଲା। ତେବେ ପୋଲିସ କହିଥିଲା ସ୍ବାମୀଙ୍କ ବିରୋଧରେ କେବଳ ସାଧାରଣ ଅଭିଯୋଗ ହୋଇଛି। ଏହା ବ୍ୟତୀତ ସ୍ତ୍ରୀ ଡିସେମ୍ବର ୨୦୧୭ରେ ଆଉ ଏକ ଅଭିଯୋଗ ଦାଖଲ କରିଥିଲେ। ଏଥର ସ୍ବାମୀଙ୍କ ପରିବାର ସଦସ୍ୟଙ୍କ ନାମ ଉଲ୍ଲେଖ କରାଯାଇ ତାଙ୍କ ମାନସିକ ତଥା ଶାରୀରିକ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଥିଲା।

ତେବେ ହାଇକୋର୍ଟ କହିଛନ୍ତି ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଅପରାଧ ପ୍ରମାଣ କରୁଥିବା କୌଣସି ତଥ୍ୟ ରେକର୍ଡରେ ରଖାଯାଇ ନାହିଁ। ହାଇକୋର୍ଟ କହିଛନ୍ତି ପ୍ରକୃତରେ ଅଭିଯୋଗକାରିଣୀ ମହିଳାଙ୍କ ସ୍ବାମୀଙ୍କ ବିରୋଧରେ ପ୍ରତ୍ୟକ୍ଷ ଅଭିଯୋଗ କେବଳ ତାଙ୍କର ନିଜର ବିବୃତ୍ତି। ଏଥିପାଇଁ କୌଣସି ଡକ୍ୟୁମେଣ୍ଟାରୀ କିମ୍ବା ଡାକ୍ତରୀ ପ୍ରମାଣ ନାହିଁ। ହାଇକୋର୍ଟ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ବିବାହ ପରେ ଏହି ଦମ୍ପତି ଅନ୍ୟ ଆପାର୍ଟମେଣ୍ଟରେ ରହୁଥିବାବେଳେ ସ୍ବାମୀଙ୍କ ସମ୍ପର୍କୀୟଙ୍କମାନେ ଅଲଗା ଆପାର୍ଟମେଣ୍ଟରେ ରହୁଥିଲେ। ଏହି ପର୍ଯ୍ୟବେକ୍ଷଣ ସହିତ ସ୍ବାମୀଙ୍କ ବିରୋଧରେ ହୋଇଥିବା ମାମଲାକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି।

Share