ସୁନା ହାର, କାନଫୁଲ ଲୁଟ୍‌ ପାଇଁ ମହିଳାଙ୍କୁ ଟାର୍ଗେଟ୍‌

ସୋନପୁର,୯।୧୧(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରରେ ଗତ କିଛି ଦିନ ହେବ ଛିନ୍‌ତାଇ ବୃଦ୍ଧି ପାଇବାରେ ଲାଗିଛି। ସୁନା ଅଳଙ୍କାର, କାନଫୁଲ ଲୁଟ୍‌ ପାଇଁ ପ୍ରାତଃ ଭ୍ରମଣ ଓ ସାନ୍ଧ୍ୟ ଭ୍ରମଣରେ ଯାଉଥିବା ମହିଳାଙ୍କୁ ଟାର୍ଗେଟ୍‌ କରାଯାଉଛି। ବୁଧବାର ମଧ୍ୟାହ୍ନରେ ଢେରାପଡାର ଭାରତୀ ପଣ୍ଡା ପଡା ରାସ୍ତାରେ ଯାଉଥିବା ସମୟରେ ୨ ଜଣ ଯୁବକ ବାଇକ୍‌ରେ ଆସି ତାଙ୍କ ବେକରୁ ସୁନା ହାର ଛିଣ୍ଡାଇ ନେଇ ଯିବାକୁ ଉଦ୍ୟମ କରିଥିଲେ। ତେବେ ଭାରତୀ ପିନ୍ଧିଥିବା ହାରକୁ ଗୋଟିଏ ହାତରେ ଜୋର କରି ଧରି ନେଇଥିଲେ । ଫଳରେ ଦୁର୍ବୃତ୍ତମାନେ ହାରର ଅଧା ଛିଣ୍ଡାଇ ନେଇ ଯିବାରେ ସକ୍ଷମ ହୋଇଥିଲେ। ସୋନପୁର ପୋଲିସ ଏହି ଘଟଣାର ତଦନ୍ତ ପାଇଁ ସନ୍ଧ୍ୟାରେ ଢେରାପଡା ସ୍ଥିତ ଭାରତୀଙ୍କ ଘରକୁ ଯାଇଥିଲେ। ତଦନ୍ତ ସାରି ପୋଲିସ ଗାଡି ପଡାରୁ ଯିବାର ମାତ୍ର ୫ ମିନିଟ୍‌ ପରେ ବାଇକ୍‌ରେ ୨ ଜଣ ଅଚିହ୍ନା ଯୁବକ ଢେରାପଡା ଆସି ଘର ସମ୍ମୁଖରେ ଛିଡା ହୋଇଥିବା ସୁଜାତା ପାତ୍ରଙ୍କ ସୁନା ହାର ଛିଡାଇ ନେବାକୁ ଉଦ୍ୟମ କରିଥିଲେ। ତେବେ ଲୁଟେରାମାନେ ଏଥିରେ ସଫଳ ହୋଇ ନ ଥିଲେ। ଲୁଟେରା ଦ୍ୱୟ କଳା ପଲ୍‌ସରରେ ଆସିଥିଲେ । ବାଇକ୍‌ ଚଳାଇ ଥିବା ଯୁବକ କଳା ରଙ୍ଗର ବାନିୟନ ପିନ୍ଧିଥିବା ବେଳେ ପଛରେ ବସିଥିବା ଯୁବକ ଜଣକ ଲାଲ ରଙ୍ଗର ଶାର୍ଟ ପିନ୍ଧିଥିବା ସିସିଟିଭି ଫୁଟେଜ୍‌ରୁ ଜଣାପଡିଛି। ପୋଲିସ ଏହି ଘଟଣାରେ କାହାରିକୁ ଗିରଫ କରି ନ ଥିବା ବେଳେ ପଡାର ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ସୂଚନାଯୋଗ୍ୟ, ଗତ ଅକ୍ଟୋବର ୧୨ ତାରିଖରେ ସାନ୍ଧ୍ୟ ଭ୍ରମଣରେ ସୁବର୍ଣ୍ଣମେରୁ ରାସ୍ତାରେ ଯାଉଥିବା ବଡବଜାର ଅଞ୍ଚଳର ବୃଦ୍ଧା ମାୟାଦେବୀ ଅଗ୍ରଓ୍ବାଲଙ୍କ ନିକଟରୁ ଦୁର୍ବୃତ୍ତମାନେ ବାଇକ୍‌ରେ ଆସି ସୁନା ହାର ଛିଣ୍ଡାଇ ନେଇ ଯାଇଥିଲେ।

ସେହିପରି ଅକ୍ଟୋବର ୧୩ ତାରିଖରେ ସୁବର୍ଣ୍ଣପୁର ସହର ବଡବଜାରସ୍ଥିତ ସରାଫ୍‌ ଜୁଏଲର୍ସର ମାଲିକ ବିରଞ୍ଚତ୍ ନାରାୟଣ ସରାଫ୍‌ଙ୍କ ନିକଟରୁ ଟଙ୍କା ଓ ଅଳଙ୍କାର ବ୍ୟାଗ୍‌ ଲୁଟ୍‌ ହୋଇଥିଲା। ରାତିରେ ବିରଞ୍ଚତ୍ ନାରାୟଣ ଦୋକାନ ବନ୍ଦ କରି ଏକ ସ୍କୁଟିରେ ସହର ସ୍ଥିତ ଘୋଡାଘାଟପଡା(ମହାରଣାପଡା) ବାସଭବନକୁ ଯାଉଥିଲେ। ବ୍ୟାଗ୍‌କୁ ଦୁଇ ଗୋଡ ମଝିରେ ରଖିଥିଲେ। ତେବେ ତାଙ୍କୁ ପିଛା କରି ବାଇକ୍‌ରେ ଆସୁଥିବା ଜଣେ ଯୁବକ ଗୋଇଠା ମାରି ଟଙ୍କା ବ୍ୟାଗ୍‌ ଲୁଟି ନେବାରେ ସକ୍ଷମ ହୋଇଥିଲେ। ବ୍ୟାଗ୍‌ରେ ନଗଦ ୬୦ ହଜାର ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା, ରୁପା ଅଳଙ୍କାର ଥିବା ଜୁଏଲାରୀ ମାଲିକ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ସିସିଟିଭି ଫୁଟେଜ୍‌କୁ ଅନୁଧ୍ୟାନ କରି ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତଙ୍କୁ ଠାବ କରି ପାରିନାହିଁ। ସେହିପରି ଗତ ୫ ଦିନ ପୂର୍ବରୁ ଏସ୍‌ପିଙ୍କ ଆବାସିକ କାର୍ଯ୍ୟାଳୟ ପଛପଟେ ମହାନଦୀ କୂଳ ରିଂ ରୋଡରେ ମହିଳାମାନେ ଯାଉଥିବା ସମୟରେ ଦୁର୍ବୃତ୍ତମାନେ ସୁନା ହାର ନେବାକୁ ଉଦ୍ୟମ କରିଥିଲେ। ତେବେ ମହିଳାମାନଙ୍କ ସଂଘବଦ୍ଧ ପ୍ରତିବାଦ ପରେ ସେମାନେ ବାଇକ୍‌ରେ ଫେରାର ହୋଇ ଯାଇଥିଲେ।