Categories: ଜାତୀୟ

‘ପୁରୁଷ’ ଘୋଷିତ ମହିଳା ପାଇବେ ପୋଲିସ ଚାକିରି

ମୁମ୍ବାଇ, ୧୫ା୫: ପୋଲିସ ବିଭାଗରେ ଚାକିରି ପାଇଁ ଆବେଦନ କରିଥିଲେ। ଲିଖିତ ଓ ଶାରୀରିକ ପରୀକ୍ଷାରେ ୨୦୦ରୁ ୧୭୧ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲେ। ହେଲେ ଡାକ୍ତରୀ ରିପୋର୍ଟରେ ଯେଉଁ ଫଳାଫଳ ଆସିଲା ତାହା ଆଶାୟୀ ଯୁବତୀଙ୍କୁ କେବଳ ବିସ୍ମିତ କରି ନ ଥିଲା, ବରଂ ଚିନ୍ତାରେ ମଧ୍ୟ ପକାଇ ଦେଇଥିଲା। ମେଡିକାଲ ଟେଷ୍ଟ ରିପୋର୍ଟରେ ସେ ଜଣେ ‘ପୁରୁଷ’ ବୋଲି ଦର୍ଶାଯିବା ପରେ ତାଙ୍କ ନିଯୁକ୍ତି ହୋଇପାରି ନ ଥିଲା। ଫଳରେ ସେ ବାଧ୍ୟ ହୋଇ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି ଆଶାୟୀଙ୍କ ପ୍ରତି ସମ୍ବେଦନଶୀଳ ହେବାକୁ କହିବା ସହ ୨ ମାସ ମଧ୍ୟରେ ତାଙ୍କୁ ପୋଲିସ ବିଭାଗରେ ନିଯୁକ୍ତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଶାରୀରିକ ଅସଙ୍ଗତିରେ ଆବେଦନକାରୀଙ୍କ କୌଣସି ଦୋଷ ନାହିଁ ବୋଲି ଜଷ୍ଟିସ୍‌ ରେବତୀ ମୋହିତ ଏବଂ ମାଧବ ଜମାଦାରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ଦେଇଛନ୍ତି।
ଅନୁସାରେ, ୨୦୧୮ରେ ମହାରାଷ୍ଟ୍ରର ଯୁବତୀ ଜଣକ ୧୯ ବର୍ଷର ହୋଇଥିବାବେଳେ ଅନୁସୂଚିତ ଜାତି (ଏସ୍‌ସି) ବର୍ଗରେ ପୋଲିସ ବିଭାଗରେ ଚାକିରି ପାଇଁ ଆବେଦନ କରି ଆବଶ୍ୟକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେତେବେଳେ ସେ ନିଜକୁ ଜଣେ ମହିଳା ବୋଲି ଦର୍ଶାଇଥିଲେ। କିନ୍ତୁ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ ମେଡିକାଲ ଟେଷ୍ଟ ରିପୋର୍ଟରେ ଯୁବତୀଙ୍କ ଶରୀରରେ ଗର୍ଭାଶୟ ଓ ଡିମ୍ବାଣୁ ନ ଥିବା ଜଣାପଡ଼ିଥିଲା। ଆଉ ଏକ ଟେଷ୍ଟରେ ତାଙ୍କ ଶରୀରରେ ଉଭୟ ପୁରୁଷ ଏବଂ ମହିଳା କ୍ରୋମୋଜୋମ୍‌ ଥିବା ରିପୋର୍ଟ ଆସିଥିଲା। ତେଣୁ ଏହି ଆଧାରରେ ତାଙ୍କୁ ‘ପୁରୁଷ’ ବୋଲି ଘୋଷଣା କରାଯାଇଥିଲା। ନିଯୁକ୍ତିରୁ ବାଦ୍‌ ପଡ଼ିବା ପରେ ଯୁବତୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ତାଙ୍କ ଶାରୀରିକ ଅସଙ୍ଗତି ବିଷୟରେ କିଛି ଜାଣି ନ ଥିବା କହିଥିଲେ। ସେ ପିଲାବେଳୁ ଜଣେ ଝିଅ ଭାବେ ଚଳି ଆସିଛନ୍ତି। ଏପରି କି ପରିବାର ଲୋକେ ତାଙ୍କ ନାଁ ମଧ୍ୟ ଜଣେ ଝିଅଙ୍କ ଭଳି ରଖିବା ସହ ସମସ୍ତ ସାର୍ଟିଫିକେଟରେ ଲିଙ୍ଗ ବର୍ଗରେ ସେ ନିଜକୁ ଜଣେ ମହିଳା ଭାବେ ଦର୍ଶାଇଆସିଥିବା କହିଥିଲେ। ତେଣୁ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତିପତ୍ର ଦେବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ ଆବେଦନରେ ଦର୍ଶାଇଥିଲେ। ଅଦାଲତ ଏହାକୁ ଏକ ସହାନୁଭୂତି ମାମଲା ଭାବେ ବିଚାର କରିବାକୁ କହିବା ସହ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ମହାରାଷ୍ଟ୍ର ସରକାର ତାଙ୍କୁ ପୋଲିସ ଚାକିରି ଦେବା ପାଇଁ ବିଚାର କରୁଛନ୍ତି।

Share