ମୁମ୍ବାଇ,୪।୧୦: ଛାଡ଼ପତ୍ର ପୂର୍ବରୁ ସ୍ବାମୀ ଘର ଛାଡ଼ୁଥିବା ମହିଳା ପରବର୍ତ୍ତୀ ସମୟରେ ଘରୋଇ ହିଂସାରୁ ସୁରକ୍ଷା ଆଇନରେ ସେଠାରେ ରହିବାର ଅଧିକାର ଦାବି କରିପାରିବେ ନାହିଁ। ଏପରିକି ତାଙ୍କ ଛାଡ଼ପତ୍ର ଆବେଦନ ବିଚାରାଧୀନ ଥିଲେ ମଧ୍ୟ ସେ ଉକ୍ତ ଅଧିକାର ହରାଇବେ ବୋଲି ସୋମବାର ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ୍ ରାୟ ଦେଇଛନ୍ତି। ପିଟିଶନ ଅନୁଯାୟୀ ୨୦୧୫ ଜୁନ୍ ୧୦ରେ ବିବାହ କରିଥିବା ଜଣେ ମହିଳା କିଛି ମାସ ପରେ ନିଜ ଇଚ୍ଛାରେ ସ୍ବାମୀ ଘର ଛାଡ଼ି ଚାଲିଯାଇଥିଲେ। ତାଙ୍କ ବ୍ୟବହାର ରୁକ୍ଷ ଥିଲା ବୋଲି ସ୍ବାମୀ ଓ ତାଙ୍କ ପରିବାର ଅଭିଯୋଗ କରିଥିଲେ। ପରେ ମହିଳା ଜଣକ ଘରୋଇ ହିଂସା ଆଇନରେ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମହିଳାଙ୍କୁ ପ୍ରତି ମାସରେ ୨,୦୦୦ ଟଙ୍କା ଭରଣପୋଷଣ ଏବଂ ୧,୫୦୦ ଟଙ୍କା ଘରଭଡ଼ା ବାବଦରେ ଦେବା ଲାଗି ଅଦାଲତ ସ୍ବାମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଉଦ୍ଗିର ସେସନ୍ସ କୋର୍ଟ ଉକ୍ତ ରାୟରେ ପରିବର୍ତ୍ତନ କରି ମହିଳାଙ୍କୁ ଶାଶୂଘରେ ରଖିବା ଲାଗି ସ୍ବାମୀ ଓ ତାଙ୍କ ପରିବାରକୁ ନିର୍ଦ୍ଦେଶ ଦେଇଥିଲେ। ସ୍ବାମୀଙ୍କ ମାଆ ବାପା ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।