Categories: ଖେଳ

ମହିଳା ଚାମ୍ପିୟନଶିପ୍‌ ୧୫ରୁ, ପୁରୁଷ ଇଭେଣ୍ଟ ଏପ୍ରିଲ୍‌ରେ

ନୂଆଦିଲ୍ଲୀ, ୧୦ା୨ (ପି.ଟି.):ହକି ଇଣ୍ଡିଆ ଜାତୀୟ ସିନିୟର ମହିଳା ହକି ଚାମ୍ପିୟନଶିପ୍‌ ଫେବୃୟାରୀ ୧୫ରୁ ଆରମ୍ଭ ହେବ। ଏହା କାକିନାଡା, ଆନ୍ଧ୍ରପ୍ରଦେଶରେ ହେବ। ଏଥିରେ ୨୯ଟି ଦଳ ଭାଗ ନେବେ। ଗତବର୍ଷ ଫାଇନାଲରେ କର୍ନାଟକକୁ ୨-୦ ଗୋଲରେ ପରାସ୍ତ କରି ଓଡ଼ିଶା ଟାଇଟଲ ଜିତିଥିଲା। ଅନ୍ୟପକ୍ଷରେ ହକି ଇଣ୍ଡିଆ ସିନିୟର ଇଣ୍ଟର-ଡିପାର୍ଟମେଣ୍ଟ ଜାତୀୟ ଚାମ୍ପିୟନଶିପ୍‌ର ତୃତୀୟ ସଂସ୍କରଣ ଫେବୃୟାରୀ ୨୬ରୁ ବେଙ୍ଗାଲୁରୁରେ ଆରମ୍ଭ ହେବ। ରେଲ୍‌ଓ୍ବେ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ ହେଉଛି ଏହି ପ୍ରତିଯୋଗିତାର ଗତଥରର ଚାମ୍ପିୟନ। ଏହି ଇଭେଣ୍ଟରେ ଭଲ ପ୍ରଦର୍ଶନ କରି ଯୁଗରାଜ ସିଂ ଓ ସୁଖଜିତ୍‌ ସିଂ ୨୦୨୨ରେ ଜାତୀୟ ସିନିୟର କ୍ୟାମ୍ପ ପାଇଁ ଡାକରା ପାଇଥିଲେ। ଅନ୍ୟପକ୍ଷରେ ମାର୍ଚ୍ଚରେ ରାଉରକେଲାକୁ ହକି ଆକ୍ସନ ଫେରିବ। ପୁରୁଷ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ରେ ଭାରତୀୟ ଦଳ ଜର୍ମାନୀ ଓ ଅଷ୍ଟ୍ରେଲିଆ ବିପକ୍ଷ ହୋମ୍‌ ମ୍ୟାଚ୍‌ ଖେଳିବ। ପରେ ଏପ୍ରିଲ୍‌ରେ ୧୩ତମ ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନଶିପ୍‌ ସହ ଘରୋଇ ସିଜନ ଆରମ୍ଭ ହେବ। ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ କହିଛନ୍ତି, ସମ୍ମାନଜନକ ଜାତୀୟ ଚାମ୍ପିୟନଶିପ୍‌ ପାଇଁ ପ୍ରସ୍ତୁତ ହେଉଥିବା ଖେଳାଳିମାନଙ୍କର ଶୁଭ କାମନା କରୁଛିି। ହକିକୁ କ୍ୟାରିୟର କରିବାକୁ ଚାହୁଁଥିବା ଉଦୀୟମାନ ଖେଳାଳିଙ୍କ ଲାଗି ଏହି ଟୁର୍ନାମେଣ୍ଟ ଏକ ଉତ୍ତମ ପ୍ଲାଟଫର୍ମ। ଏହି ବାର୍ଷିକ ଚାମ୍ପିୟନଶିପ୍‌ ପ୍ରତିଭାସମ୍ପନ୍ନ ଖେଳାଳି ଚିହ୍ନଟ କରିବାରେ ସହାୟକ ହୋଇଥାଏ।

Share