ଶୁଣାଣି ବନ୍ଦ କଲେ ମହିଳା କମିଶନ, ଦୀପିକା ନିରାଶ

ଭୁବନେଶ୍ୱର,୬।୧୨(ବ୍ୟୁରୋ): ବ୍ରହ୍ମପୁର ବଡବଜାର ଦେଶୀ ବେହେରା ସାହିର କେ ଦୀପିକା-କେ ଦୀନେଶ ବିବାହ ବିବାଦ ମାମଲା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ମହିଳା କମିଶନରେ ଆପୋସ ସମାଧାନ ହୋଇପାରୁ ନାହିଁ। ସୋମବାର ଦୀପିକା ୫ମ ଥର ପାଇଁ କମିଶନଙ୍କ ନିକଟରେ ହାଜର ହୋଇଥିବାବେଳେ ଦୀନେଶ ପ୍ରଥମଥର ହାଜର ହୋଇଥିଲେ। ଦୀନେଶଙ୍କ ସହ ତାଙ୍କ ବାପା ଓ ମା’ ବି ଆସିଥିଲେ। ମହିଳା କମିଶନ ଅଧ୍ୟକ୍ଷାଙ୍କ ସମ୍ମୁଖରେ ଉଭୟ ପକ୍ଷ ମଧ୍ୟରେ ୨ ଘଣ୍ଟାରୁ ଅଧିକ ସମୟ ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରି ନ ଥିଲା। ଦୀପିକାଙ୍କୁ ବୋହୂ ଭାବେ ଗ୍ରହଣ କରିବାକୁ ଶାଶୁ ଓ ଶ୍ୱଶୁରଙ୍କ ସମେତ ଦୀନେଶ ସିଧାସଳଖ ମନା କରିଦେଇଥିଲେ। ହେଲେ ତାଙ୍କ ଶିଶୁପୁତ୍ର ପ୍ରତି ସେମାନଙ୍କର ସହାନୁଭୂତି ଥିବା ଦିନେଶଙ୍କ ପରିବାର ବର୍ଗ କହିଥିଲେ। ବାରମ୍ବାର ଆପୋସ ସମାଧାନ ଉଦ୍ୟମ ବିଫଳ ହେବାରୁ ଶେଷରେ ମହିଳା କମିଶନ ଏହାର ଶୁଣାଣିକୁ ବନ୍ଦ କରିଦେଇଛନ୍ତି। ଦୀପିକା ଓ ଦୀନେଶଙ୍କ ମାମଲା କୋର୍ଟରେ ବିଚାରାଧୀନ ଥିବାରୁ କୋର୍ଟଙ୍କ ରାୟ ଯାହା ଆସିବ ତାହା ହିଁ ଶେଷ ନିଷ୍ପତ୍ତି ହେବ। ଏଥିରେ କମିଶନଙ୍କ କୌଣସି ଭୂମିକା ନ ଥିବା ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ. ମିନତି ବେହେରା ସ୍ପଷ୍ଟ କରିଛନ୍ତି।

Share