ମଣିପୁର ହିଂସା ବିରୋଧରେ ମହିଳା କଂଗ୍ରେସର ବିକ୍ଷୋଭ

ଭଦ୍ରକ,୨୮।୭(ସନାତନ ରାଉତ): ମଣିପୁରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ହିଂସା ଓ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ପରେଡ୍‌ କରାଇବା ଘଟଣାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀ ମୋଦି ଓ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ କରିଥିଲେ।
ଜିଲା କଂଗ୍ରେସ କାର୍ଯ୍ୟାଳୟରୁ ଜିଲା ସଭାନେତ୍ରୀ ସବିତା ଚାନ୍ଦଙ୍କ ନେତୃତ୍ୱରେ ମହିଳାମାନେ ବ୍ୟାନର ଏବଂ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ବାହାରି ଜିଲାପାଳଙ୍କ ଅଫିସ ଆଗରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଏପରିକି ପ୍ରଧାନମନ୍ତ୍ରୀ ଏବଂ ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ମହିଳା କଂଗ୍ରେସ ଜିଲା ଉପସଭାନେତ୍ରୀ ଶର୍ମିଷ୍ଠା ପଣ୍ଡା, ଜିଲା ସଭାପତି ଅଶୋକ ଦାଶ, ପୂର୍ବତନ ସଭାପତି ସୁବ୍ରତ ଦାଶ, ନେତା ନଳିନୀ ମହାନ୍ତି, ଜିଲା ଯୁବ କଂଗ୍ରେସ ସଭାପତି ହେମନ୍ତ ମହାପାତ୍ର, ଲୋକ ସଭା ନେତ୍ରୀ ମଧୁମିତା ସେଠି ପ୍ରମୁଖ ବକ୍ତବ୍ୟ ଦେଇଥିଲେ।