୨୧ରେ ନବୀନ ନିବାସ ଘେରିବ ମହିଳା କଂଗ୍ରେସ

ଭୁବନେଶ୍ୱର,୨୦।୨(ସୁନିତ୍‌ ମିଶ୍ର): ବିଜେଡି ଶାସନରେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଓ ମହିଳାଙ୍କ ପ୍ରତି ହିଂସା ଓ ଅତ୍ୟାଚାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜିର ଦିନରେ ସାରା ଦେଶରେ ମହିଳାଙ୍କ ଉପରେ ହେଉଥିବା ହିଂସାତ୍ମକ ଆଚରଣରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଛି। ୨୪ ବର୍ଷର ସରକାରରେ ରାଜ୍ୟର ମହିଳାମାନେ ଚରମ ଅବହେଳାର ଶିକାର ହୋଇଛନ୍ତି ଏବଂ ଏହାର ପ୍ରତିକାର ପାଇଁ ସରକାର ସମ୍ପୂର୍ଣ୍ଣ ଭାବେ ଉଦାସୀନ ଅଛନ୍ତି ବୋଲି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କହିଛନ୍ତି।
କଂଗ୍ରେସ ଭବନଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତି କହିଛନ୍ତି, ମହିଳାଙ୍କ ପ୍ରତି ଦୀର୍ଘ ବର୍ଷ ଧରି ଲଗାତର ଭାବେ ହେଉଥିବା ଅନ୍ୟାୟ ବିରୋଧରେ ବଡ଼ଧରଣର ଆନ୍ଦୋଳନ ପାଇଁ ଆହ୍ବାନ ଦେଇଛନ୍ତି। ୨୧ତାରିଖରେ ସର୍ବଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବାଙ୍କ ଉପସ୍ଥିତିରେ ଏହି ବିଶାଳ ମହିଳା ସମାବେଶର ଆୟୋଜନ କରାଯିବ। ସେଦିନ ରାଜ୍ୟର ମହିଳମାନଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ନବୀନ ନିବାସ ଘେରାଉ କରାଯିବା ସହ ସରକାରଙ୍କ ଉଦାସୀନତା ବିରୋଧରେ ଓଡ଼ିଶାର ପୁରପଲ୍ଲୀରେ ବଡ଼ଧରଣର ମହିଳା ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି। ମିନାକ୍ଷୀ ଆହୁରି କହିଛନ୍ତି, ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ଥିବାବେଳେ ରାଜ୍ୟ ସରକାର ସେମାନଙ୍କୁ କେବଳ ଭୋଟ୍‌ସର୍ବସ୍ବ ରାଜନୀତିର ଏକ ଅଂଶବିଶେଷ ଭାବେ ବିବେଚନା କରିଛନ୍ତି। ଓଡ଼ିଶାରେ ବର୍ତ୍ତମାନ ପ୍ରତ୍ୟେକ ଦିନ ୭ ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ରକ୍ତହୀନତା ଓ ଅପପୁଷ୍ଟିରେ ମହିଳା ଓ ଶିଶୁମାନଙ୍କ ସଂଖ୍ୟା ୬୪%ରୁ ଅଧିକ। ଏ ରାଜ୍ୟ ସରକାର ମହିଳାଙ୍କୁ କେବଳ ନିଜର ଭୋଟ୍‌ ବ୍ୟାଙ୍କ ଭାବେ ବ୍ୟବହାର କରିବା ବ୍ୟତୀତ ସେମାନଙ୍କ ସାମଗ୍ରିକ ବିକାଶ ପ୍ରତି ସମ୍ପୂର୍ଣ୍ଣ ଉଦାସୀନ ରହିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ମିନାକ୍ଷୀ କହିଛନ୍ତି। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ଓ ଦୈନନ୍ଦିନ ଖାଦ୍ୟ ସାମଗ୍ରୀର ଉତ୍କଟ ଦରବୃଦ୍ଧି ହେତୁ ହାଣ୍ଡିଶାଳ ଉପରେ ହେଉଥିବା କୋରଡ଼ାମାଡ଼କୁ ନେଇ ସାଧାରଣ ଗୃହିଣୀ ତ୍ରସ୍ତ ଅବସ୍ଥାରେ ଅଛନ୍ତି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।

Share