ଆଇନମନ୍ତ୍ରୀଙ୍କ ବଡ଼ ସୂଚନା: ଖୁବ୍‌ଶୀଘ୍ର ରାଜ୍ୟରେ ପ୍ରତିଷ୍ଠା ହେବ ମହିଳା କୋର୍ଟ, ଜଜ୍‌ଙ୍କଠାରୁ ଆରମ୍ଭ କରି ଓକିଲ ବି…

କଟକ,୨୧ା୧୧: ରାଜ୍ୟରେ ମହିଳା କୋର୍ଟ ପ୍ରତିଷ୍ଠା କରିବେ ସରକାର। ଏନେଇ ବଡ଼ ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରାଜ୍ୟରେ ଦିନକୁ ଦିନ ବଳାତ୍କାର ଘଟଣା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ନାବାଳିକାମାନଙ୍କ ଉପରେ ଅଧିକ ଯୌନ ନିର୍ଯାତନା କରାଯାଉଥିବା ନଜରକୁ ଆସୁଛି। ଯାହାକୁ ଦୃଷ୍ଟିରେ ରଖି ସରକାର ରାଜ୍ୟରେ ମହିଳା କୋର୍ଟ ପ୍ରତିଷ୍ଠା କରିବେ। ମହିଳାଙ୍କ ଉପରେ ହେଉଥିବା ସମସ୍ତ ନିର୍ଯାତନା ସମ୍ପର୍କିତ ମାମଲା ଏହି କୋର୍ଟରେ ବିଚାର କରାଯିବ।

ସବୁଠାରୁ ବଡ଼ କଥା ହେଲା ଯେ, ଏହି ସ୍ବତନ୍ତ୍ର ମହିଳା କୋର୍ଟରେ ଜଜ୍‌ଙ୍କ ସମେତ ସରକାରୀ ଓକିଲ ଓ କର୍ମଚାରୀମାନେ ବି ମହିଳା ରହିବେ। ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ଭଳି ଏହି କୋର୍ଟରେ ଅଧିକ ଏବଂ ଶୀଘ୍ର ମୋକଦ୍ଦମା ସାରିବା ସହ ଦୋଷୀଙ୍କୁ ତୁରନ୍ତ ଦଣ୍ଡ ଦିଆଯିବ। କୋର୍ଟ ସ୍ଥାପନ ପାଇଁ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହେବା ସହ ହାଇକୋର୍ଟଙ୍କ ସହ ଆଲୋଚନା ମଧ୍ୟ ଆରମ୍ଭ କରାଯାଇଛି ବୋଲି ଆଇନମନ୍ତ୍ରୀ ସୂଚନା ଦେଇଛନ୍ତି।

Share