ନୂଆଦିଲ୍ଲୀ, ୨୩ା୨ (ପି.ଟି.)- ମାର୍ଚ୍ଚ ୭ରୁ ଭାରତ ଓ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ ଦଳ ମଧ୍ୟରେ ୮ ମ୍ୟାଚ ବିଶିଷ୍ଟ ସିରିଜ ଖେଳାଯିବାର ଯୋଜନା ରହିଛି। ଯଦି ଏହା କାର୍ଯ୍ୟକାରୀ ହୁଏ ତେବେ ଘରୋଇ ଦଳ ପ୍ରାୟ ୧୨ ମାସ ପରେ ପ୍ରତିଯୋଗିତାମୂଳକ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବ। ଏହି ସିରିଜରେ ୫ ଅନ୍ତର୍ଜାତୀୟ ଟି୨୦ ଏବଂ ୩ ଅନ୍ତର୍ଜାତୀୟ ଦିନିକିଆ ଖେଳାଯିବ। ତେବେ ଏହା ଲକ୍ଷ୍ନୌ କିମ୍ବା କାନ୍ପୁରରେ ଏକ ବାୟୋ-ବବଲରେ ଖେଳାଯିବ ତାହା ସ୍ଥିର ହୋଇନାହିଁ। ସିରିଜ ପାଇଁ ୨୨ ଜଣିଆ ଭାରତୀୟ ଦଳ ମନୋନୟନ କରାଯାଇଛି। ଦକ୍ଷିଣ ଆଫ୍ରିକା କ୍ରିକେଟ (ସିଏସ୍ଏ) କହିଛି ଯଦିଓ ଏପର୍ଯ୍ୟନ୍ତ କାର୍ଯ୍ୟସୂଚୀ ଘୋଷଣା ହୋଇ ନାହିଁ ସେମାନଙ୍କ ଦଳ ଚଳିତ ସପ୍ତାହରେ ଯେକୌଣସି ସମୟରେ ଭାରତ ଗସ୍ତରେ ଯିବା ଲାଗି ପ୍ରସ୍ତୁତ ହୋଇ ରହିଛି। ଏପରି କି ଟୁର୍ ପୂର୍ବରୁ ଖେଳାଳିମାନଙ୍କ କୋଭିଡ୍ ଟେଷ୍ଟ ସରିଛି। ଭାରତରେ ଉଭୟ ଦଳର ଖେଳାଳିମାନଙ୍କୁ ପ୍ରଥମେ ୬ ଦିନ କ୍ୱାରାଣ୍ଟାଇନରେ ରହିବାକୁ ପଡ଼ିବ। ସିରିଜ ଆରମ୍ଭ ପୂର୍ବରୁ ଏକ ସପ୍ତାହ ଟ୍ରେନିଂ ସେସନ ହେବ। ଦକ୍ଷିଣ ଆଫ୍ରିକା ଦଳ ନିକଟରେ ଖେଳିଛି। ମାତ୍ର କୋଭିଡ୍ ଯୋଗୁ ଭାରତ ଗତ ବର୍ଷ ମାର୍ଚ୍ଚରେ ଟି୨୦ ବିଶ୍ୱକପ୍ପରଠାରୁ ଖେଳି ନାହିଁ।