Categories: ଖେଳ

ହିଏ-ଓ୍ବାଙ୍ଗ୍‌ଙ୍କୁ ମହିଳା ଡବଲ୍ସ ଟାଇଟଲ

ପ୍ୟାରିସ, ୧୨ା୬: ତାଇଓ୍ବାନର ହିଏ ସୁ ଓ୍ବେଇ ଓ ଚାଇନାର ଓ୍ବାଙ୍ଗ୍‌ ଜିନ୍‌ୟୁ ଫ୍ରେଞ୍ଚ ଓପନ ଟେନିସ ମହିଳା ଡବଲ୍ସ ଟାଇଟଲ ହାସଲ କରିଛନ୍ତି। ରବିବାର ସେମାନେ ୟୁଏସ୍‌-କାନାଡିଆନ ଯୋଡ଼ି ଟେଲର ଟାଉନ୍‌ସେଣ୍ଡ ଓ ଲେଲା ଫର୍ନାଣ୍ଡିଜଙ୍କୁ ୧-୬, ୭-୬ (୭/୫), ୬-୧ ସେଟ୍‌ରେ ହରାଇ ଦେଇଛନ୍ତି। ଦୁଇ ଖେଳାଳିଙ୍କ ମଧ୍ୟରେ ପାର୍ଟନରଶିପ୍‌ରେ ଏହା ଦ୍ୱିତୀୟ ଟୁର୍ନାମେଣ୍ଟ ଥିଲା। ଏହା ପୂର୍ବରୁ ସେମାନେ ଷ୍ଟ୍ରାସ୍‌ବର୍ଗରେ ଏକ ଇଭେଣ୍ଟ ଖେଳିଥିଲେ। ସିଜନରେ ସେମାନେ ପ୍ରଥମ ଥର ଏକ ଟାଇଟଲ ହାତେଇବାରେ ସମର୍ଥ ହୋଇଛନ୍ତି। ଫାଇନାଲରେ ୧୦ମ ସିଡ୍‌ ଟାଉନସେଣ୍ଡ/ଫର୍ନାଣ୍ଡିଜଙ୍କୁ ହରାଇବା ପୂର୍ବରୁ ସେମାନେ ଟୁର୍ନାମେଣ୍ଟରେ ୫ମ ସିଡ ଯୋଡ଼ି ସ୍କର୍ସ /କ୍ରାସିଜିକ୍‌, ୬ଷ୍ଠ ସିଡ ମେଲିଚାର-ମାର୍ଟିନେଜ/ପେରେଜ, ୯ମ ସିଡ୍‌ ଝାଙ୍ଗ୍‌/ ମ୍ଲାଡେନୋଭିଚ୍‌ ଏବଂ ୧୫ତମ ସିଡ୍‌ କୁଦରମେତୋଭା/ ସାମ୍‌ସୋନୋଭାଙ୍କୁ ପରାସ୍ତ କରିଥିଲେ। ସୂଚନାଯୋଗ୍ୟ, ଆଘାତଜନିତ ସମସ୍ୟା ଯୋଗୁ ହିଏ ୨୦୨୧ ପରଠାରୁ ଗୋଟିଏ ହେଲେ ଗ୍ରାଣ୍ଡସ୍ଲାମ ଖେଳି ନ ଥିଲେ। ୩୭ ବର୍ଷୀୟା ହିଏଙ୍କର ଏହା ଥିଲା ୬୦ତମ ଗ୍ରାଣ୍ଡ ସ୍ଲାମ ଡବଲ୍ସ ମୁଖ୍ୟ ଡ୍ର। ବର୍ତ୍ତମାନ ତାଙ୍କ ଗ୍ରାଣ୍ଡସ୍ଲାମ ଟାଇଟଲ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ତନ୍ମଧ୍ୟରେ ଓ୍ବିମ୍ବେଲଡନରେ ତିନୋଟି (୨୦୧୩, ୨୦୧୯, ୨୦୨୧) ଏବଂ ରୋଲାଣ୍ଡ ଗ୍ୟାରୋସଠାରେ ଦୁଇଟି (୨୦୧୪ ଓ ୨୦୨୩)। ମୋଟ ଉପରେ ଏହା ହେଉଛି ତାଙ୍କୁ ୩୧ତମ ଡବଲ୍ସ ଟାଇଟଲ।

Share