ନାରୀ ଏବଂ ପୁରୁଷ ସମାଜର ବିକାଶ ପାଇଁ ବିଶେଷ ଗୁରୁତ୍ୱବହନ କରିଥାନ୍ତି। ଦୁହିଁଙ୍କ ସମାନତାର ପ୍ରଭାବ ପରିବାରଠାରୁ ଆରମ୍ଭ କରି ସମଗ୍ର ପୃଥିବୀର ବିକାଶ ଧାରାକୁ ପ୍ରତିଫଳିତ କରିଥାଏ। ଭାରତ ସମେତ ପୃଥିବୀର ବହୁ ପ୍ରାଚୀନ ସମାଜ ନାରୀ ପୁରୁଷ ସମାନତାର ଗୁରୁତ୍ୱକୁ ଉପଲବ୍ଧି କରି ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କହିଥିଲେ। ନାରୀ ନିଜ ପସନ୍ଦର ଜୀବନ ସାଥୀ ଚୟନ କରିବା ପାଇଁ ସ୍ବଂୟମ୍ବରର ଆୟୋଜନ ମଧ୍ୟ ହେଉଥିଲା। ଇଜିପ୍ଟର ମହିଳା ଶାସକ କ୍ଲିଓପାଟ୍ରାଙ୍କଠାରୁ ଆରମ୍ଭ କରି ଭାରତରେ ରାଜିଆ ସୁଲତାନା, ମହରାଣୀ ଦୁର୍ଗାବତୀ, ରାଣୀ ଲକ୍ଷ୍ମୀବାଈ, ଅହଲ୍ୟାବାଈ ହୋଲକର, ସାବିତ୍ରୀ ଫୁଲେ ଆଦି ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଅର୍ଥାତ୍ ମହିଳା ସମାନତା ବିନା କୌଣସି ପରିବାର, ସମାଜ, ଦେଶ ଅବା ପୃଥିବୀର ବିକାଶ ସ୍ବପ୍ନ ଦେଖିବା କୁହୁଡ଼ି ପହଁରିବା ଭଳି। ତେଣୁ ମହିଳାଙ୍କୁ ସମାନ ଅଧିକାରର ପରମ୍ପରା ପ୍ରତ୍ୟେକ ଘରୁ ଆରମ୍ଭ ହେବା ଜରୁରୀ। ପରବର୍ତ୍ତୀ ସମୟରେ ଏହି ଚିନ୍ତାଧାରା ବିଶ୍ୱବ୍ୟାପୀ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମତ ପୋଷଣ କରିଥାନ୍ତି।
ଆମେରିକାରେ ପୂର୍ବରୁ ମହିଳାଙ୍କୁ ଭୋଟଦାନ କରିବାର ଅଧିକାର ପ୍ରଦାନ କରାଯାଇ ନ ଥିଲା। ତେବେ ୧୯୨୦ରେ ୧୯ ତମ ସମ୍ବିଧାନ ସଂଶୋଧନରେ ମହିଳାଙ୍କ ଭୋଟ ଦାନ ଅଧିକାରକୁ ସ୍ବୀକୃତି ମିଳିଥିଲା। ତତ୍କାଳୀନ ବୈଦେଶିକ ସଚିବ ବେନବ୍ରିଜ କୋଲ୍ବେ ଆମେରିକୀୟ ମହିଳାମାନଙ୍କୁ ଭୋଟ ଦେବାର ସାମ୍ବିଧାନିକ ଅଧିକାର ପ୍ରଦାନ କରିବା ଲାଗି ଘୋଷଣାନାମାରେ ଦସ୍ତଖତ କରିଥିଲେ। ଏହି ଐତିହାସିକ ଦିନଟିକୁ ସ୍ମରଣୀୟ କରିବା ପାଇଁ ଅଗଷ୍ଟ ୨୬ରେ ମହିଳା ସମାନତା ଦିବସ ପାଳନ ପାଇଁ ୧୯୭୦ ଏବଂ ୧୯୭୧ରେ ଏକ ପ୍ରସ୍ତାବ ଅଣାଯାଇଥିଲା। ପରେ ୧୯୭୩ରେ ଏହାକୁ ନ୍ୟୁୟର୍କ କଂଗ୍ରେସ ପକ୍ଷରୁ ମହିଳା ସମାନତା ଦିବସ ପାଳନ ପାଇଁ ସଂକଳ୍ପ ଗ୍ରହଣ କରାଯାଇଥିଲା। ୧୯୭୨ ରେ, ରାଷ୍ଟ୍ରପତି ରିଚାର୍ଡ ନିକ୍ସନ ଘୋଷଣାନାମା ୪୧୪୭ ଜାରି କରିଥିଲେ, ଯାହା ଅଗଷ୍ଟ ୨୬କୁ ମହିଳା ସମାନତା ଦିବସ ଭାବରେ ପାଳନ କରିବା ଲାଗି ଉଦ୍ଦିଷ୍ଟ ଥିଲା।