ଦୁଇଦୁଇ ପଦବୀରେ କିପରି ହେଲେ ସଭାନେତ୍ରୀ, ଅଭିଯୋଗ ଆଣିଲା ଭାଜପା ମହିଳା ମୋର୍ଚ୍ଚା

ଭଦ୍ରକ,୧୭।୧୦(ସନାତନ ରାଉତ ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ବିଜେଡି ସଭାନେତ୍ରୀ ମିଶନ ଶକ୍ତିର ଚାନ୍ଦବାଲି ବ୍ଲକ ସ୍ତରୀୟ ଫେଡେରେଶନର ସଭାନେତ୍ରୀ ଅଛନ୍ତି। ନିୟମ ଅନୁଯାୟୀ ଜଣେ ରାଜନୈତିକ ବ୍ୟକ୍ତି ମିଶନ ଶକ୍ତି ବ୍ଲକ ଫେଡେରେଶନରେ କୌଣସି ପଦବୀରେ ରହିପାରିବେ ନାହିଁ ।
ମାତ୍ର ଚାନ୍ଦବାଲି ବ୍ଲକରେ ଏହି ନିୟମକୁ ଉଲ୍ଲଙ୍ଘନ କରାଯାଇଛି ବୋଲି ଭଦ୍ରକ ଜିଲା ଭାଜପା ମହିଳା ମୋର୍ଚ୍ଚା ମଙ୍ଗଳବାର ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛି। ଏ ନେଇ ଜିଲାପାଳଙ୍କୁ ମଧ୍ୟ ଅଭିଯୋଗ କରାଯାଇଛି । ଜିଲା କାର୍ଯ୍ୟାଳୟରେ ମହିଳା ମୋର୍ଚ୍ଚା ସଭାନେତ୍ରୀ କଳ୍ପନା ଜେନାଙ୍କ ସଞ୍ଜୋଯନାରେ ଅନୁଷ୍ଠିତ ସମ୍ମିଳନୀରେ ଜିଲା ସମ୍ପାଦିକା ମାଳତୀ ସାହୁ ଅଭିଯୋଗ କରି କହିଛନ୍ତି, ପଞ୍ଚାୟତ ଫେଡେରେଶନର ସଭାନେତ୍ରୀ କିମ୍ବା ସମ୍ପାଦକ ବ୍ଲକ ଲେବେଲ ଫେଡେରେଶନର ସଦସ୍ୟ ହେବାର ନିୟମ ରହିଛି। ଚାନ୍ଦବାଲି ବ୍ଲକ ବିଜେଡି ମହିଳା ସଭାନେତ୍ରୀ ମାନସୀ ପାଢ଼ୀ ପଞ୍ଚାୟତ ଫେଡେରେଶନରେ ନ ଥାଇ ବ୍ଲକ ଫେଡେରେଶନରେ ସଭାନେତ୍ରୀ ପଦରେ କିପରି ରହିଲେ ବୋଲି ସେ ଅଭିଯୋଗ କରିଛନ୍ତି। ରାଜନୈତିକ ପଦପଦବୀରେ ରହିଥିବା ଜଣେ ମହିଳାଙ୍କୁ ମିଶନ ଶକ୍ତି ପଦବୀରେ ରଖାଯାଇ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଛି ବୋଲି କହିଛନ୍ତି।

Share