ଆଜି ଆସିବେ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା

ବ୍ରହ୍ମପୁର,୨।୧୦(ନରସିଂହ ସାହୁ): ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ ମଣ୍ଡଳୀ ମଧ୍ୟରୁ ୨୦୨୪ ନିର୍ବାଚନରେ ୧୧ ଆସନରେ ଭାଜପା ପ୍ରାର୍ଥୀମାନେ ନିର୍ବାଚିତ ହୋଇଛନ୍ତି। ଫଳରେ ଦଳ ଏହି ଜିଲାକୁ ଅଧିକ ଗୁରୁତ୍ୱ ଦେଇଛି। ବୁଧବାର ବ୍ରହ୍ମପୁରରେ ଦଳ ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଗାନ୍ଧୀ ଜୟନ୍ତୀ ପାଳନ କାର୍ଯ୍ୟକ୍ରମରେ ଭାଜପା ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ଭି. ଶ୍ରୀନିଭାସନ ଯୋଗଦେବେ। ଏଥିପାଇଁ ଗାନ୍ଧୀନଗର ଛକରେ ସ୍ଥାପିତ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଏକ ସ୍ବତନ୍ତ୍ର ସମାବେଶର ଆୟୋଜନ ହୋଇଛି। ତାଙ୍କ ସହ ରାଜ୍ୟମନ୍ତ୍ରୀ ବିଭୂତି ଭୂଷଣ ଜେନା ଓ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳ ଉପସ୍ଥିତ ରହିବେ। ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷା ଦକ୍ଷିଣ ଓଡ଼ିଶାର ୮ ଜିଲାର ମହିଳା ସଙ୍ଗଠନର କାର୍ଯ୍ୟକର୍ତ୍ତାଙ୍କ ସମାବେଶରେ ଯୋଗଦେବେ। ଏଠାରେ ସେ ନୂତନ ସଦସ୍ୟତା ଅଭିଯାନର ସମୀକ୍ଷା କରିବେ। ସ୍ବଚ୍ଛ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲାର ନେତ୍ରୀମାନଙ୍କ ସହିତ ଆଲୋଚନା କରିବେ। ମଧ୍ୟାହ୍ନରେ ଆଙ୍କୁଲିର ଏକ ମନ୍ଦିର ନିକଟରେ ଏସ୍‌ଏଚଜି କର୍ମକର୍ତ୍ତାଙ୍କୁ ଭେଟିବା ସହ ଶିଳ୍ପାଞ୍ଚଳରେ ବୟନିକା କେନ୍ଦ୍ର ପରିଦର୍ଶନ କରିବେ। ରାଷ୍ଟ୍ରୀୟ ଅଧ୍ୟକ୍ଷା ଭି. ଶ୍ରୀନିଭାସନ ବ୍ରହ୍ମପୁର କାର୍ଯ୍ୟକ୍ରମ ସାରି ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ତାରାତାରଣୀଙ୍କୁ ଦର୍ଶନ କରିବେ ବୋଲି ଭାଜପା ମିଡିଆ ସେଣ୍ଟର ପକ୍ଷରୁ କୁହାଯାଇଛି।