Categories: ଜାତୀୟ

ମହିଳାଙ୍କର ଘର ସମ୍ଭାଳିବା ମୂଲ୍ୟ ଚାକିରିରୁ ମିଳୁଥିବା ଦରମାଠାରୁ କମ ନୁହେଁ : ସୁପ୍ରିମକୋର୍ଟଙ୍କ ରାୟ…

ନୂଆଦିଲ୍ଲୀ,୧୮।୨ : ଘର ସମ୍ଭାଳିବାର ମୂଲ୍ୟ ଏକ କାର୍ଯ୍ୟାଳୟରେ କାମ କରି ମିଳୁଥିବା ଦରମା ମୂଲ୍ୟଠାରୁ କମ ନୁହେଁ। ଜଣେ ଗୃହିଣୀ ଥିବାରୁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କୁ କମ କ୍ଷତିପୂରଣ ଦେବା ମାମଲାରେ ସୁପ୍ରିମକୋର୍ଟ ଏହା କହିଛନ୍ତି। ଗୃହ ପରିଚାଳନା କାର୍ଯ୍ୟକୁ ମୂଲ୍ୟବାନ ବୋଲି କୋର୍ଟ ବର୍ଣ୍ଣନା କରିଛନ୍ତି। କ୍ଷତିପୂରଣ ରାଶି ଅଢ଼େଇ ଲକ୍ଷରୁ ୬ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତିି।

ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ବେଞ୍ଚ କହିଛନ୍ତି ଘରର କାମ ପରିଚାଳନା କରୁଥିବା ମହିଳାଙ୍କ ସ୍ଥିତି ଉଚ୍ଚ ମାନ୍ୟତା ରହିଛି। ଟଙ୍କା ତୁଳନାରେ ତାଙ୍କର ଅବଦାନକୁ ଆକଳନ କରିବା କଷ୍ଟକର। ଘର ସମ୍ଭାଳିବା କାର୍ଯ୍ୟ ପାଇଁ ବିଭିନ୍ନ ଟ୍ରିବ୍ୟୁନାଲ ଏବଂ କୋର୍ଟଙ୍କୁ ଏକ ଆନୁମାନିକ ଆୟ ହିସାବ କରିବାକୁ ପଡିବ। ପରିବାରରେ ଘରର ଯତ୍ନ ନେଉଥିବା ସଦସ୍ୟଙ୍କ ଦରମା ଅର୍ଜନ କରୁଥିବା ସଦସ୍ୟଙ୍କ ପରି ସମାନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଛି ।

୨୦୦୬ମସିହାରେ ଉତ୍ତରାଖଣ୍ଡରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ ଦିଆଯାଇଥିବା କ୍ଷତିପୂରଣ ମାମଲାର ସୁପ୍ରିମକୋର୍ଟ ଶୁଣାଣି କରିଥିଲେ। ଯେଉଁ ଗାଡିରେ ଦୁର୍ଘଟଣା ଘଟିଥିଲା ତାହା ବୀମାଭୁକ୍ତ ହୋଇ ନ ଥିଲା। ତେଣୁ ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦେବାର ଦାୟିତ୍ୱ ଗାଡି ମାଲିକଙ୍କ ଉପରେ ପଡିଥିଲା। ମୋଟର ଦୁର୍ଘଟଣା ଦାବି କ୍ଷତିପୂରଣ ଟ୍ରିବ୍ୟୁନାଲ ତାଙ୍କ ସ୍ବାମୀ ଏବଂ ପିଲାଙ୍କ ପାଇଁ ଅଢ଼େଇ ଲକ୍ଷ ଟଙ୍କା କ୍ଷତିପୂରଣ ସ୍ଥିର କରିଛନ୍ତି। ପରିବାର ଉତ୍ତରାଖଣ୍ଡ ହାଇକୋର୍ଟରେ ଆବେଦନ କରିଥିଲେ ଯାହା ୨୦୧୭ ରେ ପ୍ରତ୍ୟାଖ୍ୟାନ କରାଯାଇଥିଲା।

ଏହି ଆବେଦନର ଶୁଣାଣିରେ ସୁପ୍ରିମକୋର୍ଟ କହିଛନ୍ତି ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜଣଙ୍କର ସର୍ବନିମ୍ନ ଆନୁମାନିକ ଆୟ ଏବଂ ଆୟୁକୁ ଆଧାର କରି ମୃତ୍ୟୁ ପାଇଁ କ୍ଷତିପୂରଣ ବିବେଚନା କରାଯାଇଛି। ଟ୍ରିବ୍ୟୁନାଲ ଦ୍ୱାରା ସ୍ଥିର ହୋଇଥିବା କ୍ଷତିପୂରଣ ଦୈନିକ ମଜୁରୀ ଶ୍ରମିକଙ୍କ ଆୟଠାରୁ କମ ଅଟେ। ହାଇକୋର୍ଟ ମଧ୍ୟ ଏଥିରେ କୌଣସି ତ୍ରୁଟି କିଭଳି ପାଇଲେ ନାହିଁ ବୋଲି ଶୀର୍ଷ କୋର୍ଟ ପ୍ରଶ୍ନ କରିଛନ୍ତି। ସୁପ୍ରିମକୋର୍ଟ ପଚାରିଛନ୍ତି, ଜଣେ ଘରୋଇ ଶ୍ରମିକଙ୍କ ଆୟ କିପରି ଦୈନିକ ମଜୁରୀ ଶ୍ରମିକଙ୍କ ତୁଳନାରେ କମ ବିବେଚନା କରାଯାଇପାରିବ? ଏହିପରି ଦୃଷ୍ଟିକୋଣ ଗ୍ରହଣ କରାଯାଇପାରିବ ନାହିଁ। କ୍ଷତିପୂରଣ ୬ଲକ୍ଷ ଟଙ୍କା ଏବଂ ଏହାକୁ ୬ ସପ୍ତାହ ମଧ୍ୟରେ ଦେବାକୁ ପଡିବ ।

 

Share