Categories: ଖେଳ

ମାର୍ଚ୍ଚରେ ମହିଳା ଆଇପିଏଲ୍‌

ନୂଆଦିଲ୍ଲୀ, ୧୪ା୧୦ (ପି.ଟି.):ବହୁ ପ୍ରତୀକ୍ଷିତ ମହିଳା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଡବ୍ଲ୍ୟୁଆଇପିଏଲ୍‌)ର ପ୍ରଥମ ସଂସ୍କରଣ ୨୦୨୩ ମାର୍ଚ୍ଚରେ ହେବ। ଏହା ୫ଟି ଦଳକୁ ନେଇ ହେବ। ପୁରୁଷ ଆଇପିଏଲ୍‌ ପୂର୍ବରୁ ଏହା ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୂତ୍ରରୁ ପ୍ରକାଶ ଏହି ଚାମ୍ପିୟନଶିପ୍‌ରେ ମୋଟ ୨୦ଟି ଲିଗ୍‌ ମ୍ୟାଚ ଖେଳାଯିବ। ପ୍ରତ୍ୟେକ ଦଳ ପରସ୍ପର ସହ ଦୁଇଥର ମୁକାବିଲା କରିବେ। ଟେବୁଲ ଟପ୍ପର ସିଧାସଳଖ ଫାଇନାଲରେ ପ୍ରବେଶ କରିବ। ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଥିବା ଦଳକୁ ଏଲିମିନେଟର ଖେଳିବାକୁ ପଡ଼ିବ। ଚୂଡ଼ାନ୍ତ ଏକାଦଶରେ ସର୍ବାଧିକ ୫ ବିଦେଶୀ ଖେଳାଳିଙ୍କୁ ନିଆଯାଇ ପାରିବ। ପ୍ରତ୍ୟେକ ଦଳରେ ସର୍ବାଧିକ ୧୮ଖେଳାଳି ରହିବେ। କୌଣସି ଦଳ ୬ରୁ ଅଧିକ ବିଦେଶୀ ଖେଳାଳିଙ୍କୁ ନେଇପାରିବେ ନାହିଁ। ଖବର ଅନୁସାରେ ଚୂଡ଼ାନ୍ତ ଏକାଦଶରେ ଆଇସିସିର ପୂର୍ଣ୍ଣ ସଦସ୍ୟ ଥିବା ଦେଶର ୪ ଓ ଆଇସିସି ସହଯୋଗୀ ସଦସ୍ୟ ରାଷ୍ଟ୍ରର ଜଣେ ଲେଖାଏ ଖେଳାଳି ସ୍ଥାନ ପାଇପାରିବେ। ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେଉଥିବା ମହିଳାଙ୍କ ବିଗ୍‌ବାଶ୍‌ ଲିଗ୍‌ ଏବଂ ୟୁନାଇଟେଡ୍‌ କିଙ୍ଗ୍‌ଡମ୍‌ (ୟୁକେ)ରେ ଦଳର ସଦସ୍ୟ ସଂଖ୍ୟା ୧୫ରେ ରଖାଯାଇଥିବା ୩ଜଣ ବିଦେଶୀ ଖେଳାଳିଙ୍କୁ ଅନୁମତି ରହିଛି। ସୀମିତ ସଂଖ୍ୟାରେ ଦଳ ରହିଥିବାରୁ ପୁରୁଷ ଆଇପିଏଲ ଭଳି ‘ହୋମ୍‌ ଆଓ୍ବେ’ ଫର୍ମାଟ ସହଜ ହେବ ନାହିଁ। କାରଣ ଅଂଶଗ୍ରହଣକାରୀ ଦଳ ସଂଖ୍ୟା କମ୍‌ ରହିଥିବାରୁ ପ୍ରତିଦିନ ଏକ ମ୍ୟାଚ ଖେଳାଯିବା ସମ୍ଭବପର ହେବ ନାହିଁ। ଏହି ଇଭେଣ୍ଟ ଫେବୃୟାରୀରେ ଦକ୍ଷିଣ ଆଫ୍ରିକାରେ ମହିଳା ଟି୨୦ ବିଶ୍ୱକପ୍‌ ପରେ ହେବ ବୋଲି ଆଶା କରାଯାଉଛି। ଟୁର୍ନାମେଣ୍ଟ କାରାଭାନ ଷ୍ଟାଇଲରେ ଖେଳାଯାଇପାରେ ଅର୍ଥାତ୍‌ ଗୋଟିଏ ଭେନ୍ୟୁ ପ୍ରଥମ ୧୦ଟି ମ୍ୟାଚ ଏବଂ ଅନ୍ୟ ଭେନ୍ୟୁରେ ଆଉ ୧୦ଟି ମ୍ୟାଚ ଖେଳାଯାଇପାରେ। ଟିମ୍‌ ବିକ୍ରି ଜୋନ୍‌ ଅନୁସାରେ କରାଯାଇପାରେ। ପ୍ରତ୍ୟେକ ଜୋନ୍‌ ପାଇଁ ବୋର୍ଡ ଦୁଇଟି ସହରକୁ ସଂକ୍ଷିପ୍ତ ତାଲିକାଭୁକ୍ତ କରିଛି। ସେଗୁଡ଼ିକ ହେଲା: ଧର୍ମଶାଳା/ଜମ୍ମୁ (ଉତ୍ତରାଞ୍ଚଳ), ପୁଣେ/ରାଜକୋଟ(ପଶ୍ଚିମାଞ୍ଚଳ),ଇନ୍ଦୋର/ନାଗପୁର/ରାୟପୁର(ପଶ୍ଚିମାଞ୍ଚଳ), ରାଞ୍ଚତ୍/କଟକ (ପୂର୍ବାଞ୍ଚଳ), କୋଚି/ଭାଇଜାଗ୍‌ (ଦକ୍ଷିଣାଞ୍ଚଳ) ଓ ଗୁଆହାଟୀ ( ଉତ୍ତର-ପୂର୍ବାଞ୍ଚଳ)। ଆବଶ୍ୟକ ସ୍ଥଳେ ଡବ୍ଲ୍ୟୁଆଇପିଏଲ୍‌ରେ ବିକଳ୍ପ ଦଳ ମଧ୍ୟ ବିକ୍ରି କରାଯାଇପାରେ। ବର୍ତ୍ତମାନ ଆଇପିଏଲ ଖେଳାଯାଉଥିବା ଭେନ୍ୟୁକୁ ବ୍ୟବହାର କରାଯାଇପାରେ। ଏହି ସହରଗୁଡ଼ିକ ମଧ୍ୟରେ ଅହମଦାବାଦ, ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, କୋଲକାତା ଓ ମୁମ୍ବାଇ ରହିଛି। ତେବେ ମହିଳା ଆଇପିଏଲ୍‌ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଆଇପିଏଲ୍‌ ଗଭର୍ନିଂ କାଉନ୍‌ସିଲ ଓ ବିସିସିଆଇ କର୍ମକର୍ତ୍ତାମାନେ ନେବେ।

Share