Categories: ଜାତୀୟ

ଆତ୍ମହତ୍ୟା କରିବାକୁ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ମହିଳାଙ୍କ ମେଲ୍‌

ନୂଆଦିଲ୍ଲୀ, ୨୮।୮(ଆଇଏଏନ୍‌ଏସ୍‌):ଦୁଇଘଣ୍ଟା ମଧ୍ୟରେ ସହାୟତା ନ ମିଳିଲେ ଆତ୍ମହତ୍ୟା କରିବେ ବୋଲି ଦିଲ୍ଲୀର ଜଣେ ୪୦ ବର୍ଷୀୟା ମହିଳା ବୁଧବାର ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କୁ ଇ-ମେଲ୍‌ କରିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଜନ୍‌ସନ୍‌ଙ୍କ କାର୍ଯ୍ୟାଳୟ ଲଣ୍ଡନସ୍ଥିତ ଭାରତୀୟ ଦୂତାବାସକୁ ଜଣାଇବା ପରେ ଏହା ନୂଆଦିଲ୍ଲୀର ବହିର୍ବ୍ୟାପାର ମନ୍ତ୍ରଣାଳୟ ସହ ଯୋଗାଯୋଗ କରିଥିଲା। ବିପଦରେ ଥିବା ମହିଳାଙ୍କୁ ତୁରନ୍ତ ଖୋଜି ତାଙ୍କ ଜୀବନ ରକ୍ଷା କରିବା ପାଇଁ ବହିର୍ବ୍ୟାପାର ମନ୍ତ୍ରଣାଳୟ ଦିଲ୍ଲୀ ପୋଲିସକୁ କହିଥିଲା। ମହିଳା ଜଣକ ରୋହିଣୀର ସେକ୍ଟର ୨୧ ଅଞ୍ଚଳରେ ରହୁଥିବାରୁ ପୋଲିସ ସେଠାରେ ଘରକୁ ଘର ଯାଇ ତାଙ୍କୁ ଖୋଜିଥିଲା। ଘର ଠାବ ପରେ କୌଣସି ଜବାବ ନ ଆସିବାରୁ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ କବାଟ ଭାଙ୍ଗିବାକୁ ଗଲାବେଳେ ଜଣେ ମହିଳା ବାହାରକୁ ଆସିଥିଲେ। ସେ ଖୁବ୍‌ ବିଚଳିତ ଓ ଭୟଭୀତ ଦେଖାଯାଉଥିଲେ। ପଚରାଉଚରା ପରେ ଜଣାପଡ଼ିଥିଲା ମହିଳା ଜଣଙ୍କ ପୂର୍ବରୁ ଏମ୍‌ସିଡି ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିଲେ। ସ୍ବାମୀଙ୍କ ସହ ତାଙ୍କର ଛାଡ଼ପତ୍ର ହୋଇଯାଇଛି। ସେ ବ୍ୟାଙ୍କରୁ ଋଣ ନେଇ କିସ୍ତି ପୈଠ କରିପାରୁ ନ ଥିଲେ। ଋଣ ବୋଝରେ ସେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା ପାଇଁ ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କୁ ମେଲ୍‌ କରିଥିଲେ। ତାଙ୍କ ସମସ୍ୟାର ସମାଧାନ ଲାଗି ଦୁଇଜଣ ସାଇକୋଲୋଜିଷ୍ଟ ଓ ଜଣେ ଡାକ୍ତରଙ୍କୁ ଡକାଯାଇଥିଲା।

Share