ତାଲିବାନ ବିରୋଧରେ ମହିଳା ଆନ୍ଦୋଳନ ତେଜିଲା…

କାବୁଲ,୪।୯: ସରକାର ଗଠନ ପାଇଁ ତାଲିବାନ ଯୋଜନା ପୁଣି ଥରେ ଲଟକିଛି। ପୂର୍ବରୁ କୁହାଯାଇଥିଲା ଯେ ତାଲିବାନ ଶନିବାର କାବୁଲରେ ନୂଆ ସରକାର ଗଠନ କରିବ। କିନ୍ତୁ ବିଳମ୍ବିତ ରାତିରେ କିଛି କାରଣରୁ ଏହା ହୋଇପାରିଲା ନାହିଁ। ଏହା ପରେ ନୂଆ ସରକାର ଗଠନକୁ ସ୍ଥଗିତ ରଖାଯାଇଥିବା ତାଲିବାନର ମୁଖପାତ୍ର ସୂଚନା ଦେଇଛନ୍ତି।ଆସନ୍ତା ୨ରୁ୩ ଦିନ ମଧ୍ୟରେ ସରକାର ଗଠନ କରାଯିବ ବୋଲି ସେ କହିଛନ୍ତି।

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କାବୁଲରେ ମହିଳାଙ୍କ ବିରୋଧ ପ୍ରଦର୍ଶନ ତୀବ୍ର ହେବାରେ ଲାଗିଛି। ତାଲିବାନ ପକ୍ଷରୁ ମହିଳାଙ୍କ ଉପରେ ଲୁହବୁହା ଗ୍ୟାସ ସହିତ ଗୁଳି ଚାଳନା କରାଯାଇଛି। ସରକାରରେ ମହିଳାଙ୍କ କମ ଅଂଶଗ୍ରହଣ ଏବଂ କାର୍ଯ୍ୟ କରିବାର ଅଧିକାରକୁ ନେଇ ମହିଳାମାନେ ପ୍ରଦର୍ଶନ କରିଥିଲେ। ଏହି ସମୟରେ ପ୍ରାୟ ୫୦ରୁ ଅଧିକ ଆଫଗାନୀ ମହିଳା ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଉଥିବାର ଦେଖାଯାଇଥିଲା।
ତେବେ ତାଲିବାନ କହିଛି ଯେ ନୂଆ ସରକାରରେ ମହିଳାମାନଙ୍କ ଚାକିରୀ ଜାରି ରହିବ।

୨୦୦୧ ପୂର୍ବରୁ ତାଲିବାନ ଇସଲାମର ଶରିଆ ଆଇନ ପାଳନ କରିବାରେ ହିଂସା ଏବଂ ବର୍ବରତା ପ୍ରଦର୍ଶନ କରିଥିଲା। ସେହି ସମୟରେ ମହିଳାଙ୍କ ଶିକ୍ଷା ଏବଂ କାର୍ଯ୍ୟ ଉପରେ ଏକ ନିଷେଧାଦେଶ ଜାରି କରାଯାଇଥିଲା। ତାଲିବାନ ମହିଳାମାନଙ୍କୁ କ୍ୟାବିନେଟରେ ସ୍ଥାନ ଦେବାକୁ ଦାବି କରାଯାଇଛି। ମହିଳାଙ୍କ ସହିତ ଆଲୋଚନା କରି ତାଲିବାନ ପଦକ୍ଷେପ ଗ୍ରହଣ କରୁ ବୋଲି ସେମାନେ ଦାବି କରିଛନ୍ତି। ମହିଳାମାନେ ରାଷ୍ଟ୍ରପତି ଭବନ ମୁହାଁ ହୋଇଥିଲେ। ତେବେ ସେମାନଙ୍କୁ ବାଟରେ ଅଟକାଇ ଦିଆଯାଇଥିଲା।

 

Share