Categories: ଖେଳ

ଓମେନ୍ସ ପ୍ରିମିୟର ଲିଗ୍‌: ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୧୩ା୩: ଓମେନ୍ସ ପ୍ରିମିୟର ଲିଗ୍‌ର ଦ୍ୱିତୀୟ ସଂସ୍କରଣର ଫାଇନାଲରେ ପ୍ରବେଶ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ଗୁଜରାଟ ଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍‌କୁ ୭ ଉଇକେଟରେ ଜିତିବା ସହିତ ଦିଲ୍ଲୀ କ୍ୟାପିଟାଲ୍ସ କ୍ରମାଗତ ସିଜନରେ ଫାଇନାଲରେ ପ୍ରବେଶ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରି ଗୁଜରାଟ ୨୦ ଓଭରରେ ୯ ଉଇକେଟରେ ୧୨୬ ରନ୍‌ କରିଥିଲା। ଜବାବରେ କ୍ୟାପିଟାଲ୍ସ ୧୩.୧ ଓଭରରେ ୩ ଉଇକେଟ ହରାଇ ବିଜୟୀ ହୋଇଥିଲା।

ପ୍ରଥମେ ବ୍ୟାଟିଂ କରିଥିବା ଜାଏଣ୍ଟ୍ସ ମାରିଜେନ୍‌ କାପ୍‌ଙ୍କ ଘାତକ ବୋଲିଂ ବଳରେ ୧୬ ରନ୍‌ରେ ୩ ଉଇକେଟ ହରାଇଥିଲା। ଗୁଜରାଟ ପକ୍ଷରୁ ଆସ୍‌ଲେ ଗାର୍ଡନର(୧୨) ଓ ଫିବ ଲିଚଫିଲ୍ଡ(୨୧)ଙ୍କ ମଧ୍ୟରେ ୨୩ ରନ୍‌ର ଭାଗୀଦାରି ହୋଇଥିବା ବେଳେ ଉଭୟ ଖେଳାଳିଙ୍କୁ ଆଉଟ କରିଥିଲେ ମିନ୍ନୁ ମଣି। ୪୮ ରନ୍‌ରେ ୫ ଉଇକେଟ ହରାଇବା ପରେ ଭାରତୀ ଫୁଲମାଲି(୪୨) ଓ କ୍ୟାଥରିନ୍‌ ବ୍ରାଇସ୍‌(୨୮*)ଙ୍କ ମଧ୍ୟରେ ହୋଇଥିଲା ୬୮ ରନ୍‌ର ପାର୍ଟନରଶିପ୍‌। ଫୁଲମାଲି ୩୬ ବଲ୍‌ ଖେଳି ୭ ଚୌକା ମାରିଥିଲେ। ଦିଲ୍ଲୀ ପକ୍ଷରୁ ଶିଖା ପାଣ୍ଡେ, ମାରିଜେନ୍‌ କାପ୍‌ ଓ ମିନ୍ନୁ ମଣି ୨ଟି ଲେଖାଏ ଉଇକେଟ ନେଇଥିଲେ।

ଜବାବରେ ଦିଲ୍ଲୀ ପକ୍ଷରୁ ମେଗ୍‌ ଲାନିଙ୍ଗ(୧୮) ଓ ଶେଫାଳି ବର୍ମା ପ୍ରଥମ ଉଇକେଟରେ ୩୧ ରନ୍‌ ଯୋଡିଥିଲେ। ଲାନିଙ୍ଗ ରନ୍‌ଆଉଟ ହୋଇଥିବା ବେଳେ ସମାନ ଓଭରରେ ଖାତା ଖୋଲିବା ଆଗରୁ ଆଲିସ୍‌ କାପ୍‌ସି ମଧ୍ୟ ପ୍ୟାଭିଲିୟନ୍‌ ଫେରିଥିଲେ। ତେବେ ଶେଫାଳି ବର୍ମା ଚମତ୍କାର ଅର୍ଦ୍ଧଶତକ ହାସଲ କରି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। ଶେଫାଳି ୩୭ ବଲ୍‌ ଖେଳି ୭ ଚୌକା ଓ ୫ ଛକା ମାରି ୭୧ ରନ କରିଥିଲେ। ଜେମିମା ରୋଡ୍ରିଗୁଏଜ୍‌(୩୮*)ଙ୍କ ସହ ସେ ତୃତୀୟ ଉଇକେଟରେ ୯୪ ରନ୍‌ ଯୋଡିଥିଲେ। ଜେମି ୨୮ ବଲ୍‌ ଖେଳି ୪ ଚୌକା ଓ ୧ ଛକା ମାରିଥିଲେ।

ଗୁଜରାଟ ପକ୍ଷରୁ ତନୁଜା କନଓ୍ବର ଦୁଇଟି ଉଇକେଟ ନେଇଥିଲେ। ଦିଲ୍ଲୀ ଫାଇନାଲରେ ପ୍ରବେଶ କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମ୍ୟାଚ୍‌ର ବିଜେତାକୁ ଭେଟିବ।

 

Share