Categories: ଜାତୀୟ

ମହିଳା ସଂରକ୍ଷଣ ବିଲ୍‌: ବିରୋଧ କରିବାରୁ ସମାଜବାଦୀ ଏମପିଙ୍କ କଲର ଧରି ଗୃହରୁ ବାହାର କରିଥିଲେ ମମତା…

ନୂଆଦିଲ୍ଲୀ,୧୯।୯ : ସଂସଦର ସ୍ବତନ୍ତ୍ର ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ମଙ୍ଗଳବାର ଲୋକସଭାରେ ମହିଳା ସଂରକ୍ଷଣ ବିଲ ଆଗତ କରିଛନ୍ତି। ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ସିଟ ସଂରକ୍ଷଣ କରିବାକୁ ଏହି ବିଲରେ ଏକ ବ୍ୟବସ୍ଥା ରହିଛି। ୧୯୯୮ ମସିହାରେ ଆରଜେଡି ଏବଂ ସମାଜବାଦୀ ପାର୍ଟିର ଏମପିମାନେ ଏହି ବିଲକୁ ଜୋରଦାର ବିରୋଧ କରିଥିଲେ। ହଙ୍ଗାମା କରି ଗୃହ ମଧ୍ୟରେ ଆରଜେଡି ଏମପି ସୁରେନ୍ଦ୍ର ପ୍ରସାଦ ଯାଦବ ଲୋକସଭା ବାଚସ୍ପତି ଜିଏମସି ବାଲାୟୋଗୀଙ୍କ ଠାରୁ ବିଲର କପି ଛଡ଼ାଇ ନେଇଥିଲେ।

ବିଲର କପି ଛିଣ୍ଡାଇ ସେ ଯୁକ୍ତି ବଢ଼ିଥିଲେ ବିଆର ଆମ୍ବେଦକର ତାଙ୍କ ସ୍ବପ୍ନରେ ଆସି ତାଙ୍କୁ ଏହା କରିବାକୁ କହିଥିଲେ।

୧୧ ଡିସେମ୍ବର ୧୯୯୮ ରେ, ମହିଳା ସଂରକ୍ଷଣ ବିଲକୁ ନେଇ ପୁଣି ଥରେ ସମସ୍ତ ଦଳ ମଧ୍ୟରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ସେତେବେଳେ ଏହି ବିଲକୁ ବିରୋଧ କରୁଥିବା ତତ୍କାଳୀନ ସମାଜବାଦୀ ପାର୍ଟି ଏମପି ଦରୋଗା ପ୍ରସାଦ ସରୋଜଙ୍କୁ ତାଙ୍କ କଲର ଧରି ମମତା ବାନାର୍ଜୀ ଗୃହରୁ ବାହାର କରି ଦେଇଥିଲେ।

୨୦୦୪ ରେ, ଆରଜେଡି ଏବଂ ଏସପି ଏମପିମାନେ ଏହି ବିଲକୁ ବିରୋଧ କରିଥିଲେ।

ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏ ସରକାର ମଧ୍ୟ ୧୯୯୮, ୧୯୯୯, ୨୦୦୨ ଏବଂ ୨୦୦୩-୨୦୦୪ ମସିହାରେ ଏହି ବିଲ ପାରିତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ରାଷ୍ଟ୍ରିୟ ଜନତା ଦଳ ଏବଂ ସମାଜବାଦୀ ପାର୍ଟି ଏମପିଙ୍କ କ୍ରମାଗତ ବିରୋଧ ଏହି ବିଲ ପାରିତ ହେବାକୁ ଦେଇ ନ ଥିଲା।

ୟୁପିଏ ସରକାର ମଧ୍ୟ ଏହି ବିଲ ପାରିତ କରିବାକୁ ଚେଷ୍ଟା କରିଥିଲେ।

୨୦୦୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ନେତୃତ୍ୱରେ କ୍ଷମତାକୁ ଆସିଥିବା ୟୁପିଏ ସରକାର ମଧ୍ୟ ଏହି ବିଲ ପାରିତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ।

୨୦୦୮ ମସିହାରେ, ୟୁପିଏ ସରକାର ୧୦୮ତମ ସାମ୍ବିଧାନିକ ସଂଶୋଧନ ବିଲ ଭାବରେ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ ଆଗତ କରିଥିଲେ। ୯ ମାର୍ଚ୍ଚ ୨୦୧୦ ରେ ବହୁ ସଂଖ୍ୟାରେ ଏହି ବିଲ ପାରିତ ହୋଇଥିଲା। ଭାଜପା, ବାମପନ୍ଥୀ ଦଳ ଏବଂ ଜେଡିୟୁ ଏହି ବିଲକୁ ସମର୍ଥନ କରିଥିଲେ।

ତେବେ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଜନତା ଦଳ ଏହି ବିଲକୁ ବିରୋଧ କରିଥିଲେ। ଉଭୟ ଦଳ ୟୁପିଏର ସହଯୋଗୀ ଥିଲେ। ଏହି କାରଣରୁ ୟୁପିଏ ସରକାର ଲୋକସଭାରେ ଏହି ବିଲ ଉପସ୍ଥାପନ କରି ପାରି ନ ଥିଲେ। କଂଗ୍ରେସ ଭୟ କରିଥିଲା ଯଦି ଲୋକସଭାରେ ଏହି ବିଲ ଆଗତ କରାଯାଏ ତେବେ ସରକାର ସଙ୍କଟରେ ପଡିପାରନ୍ତି।

Share