Categories: ଜାତୀୟ

୨୦୨୯ ସୁଦ୍ଧା ମହିଳାଙ୍କୁ ସଂରକ୍ଷଣ

ନୂଆଦିଲ୍ଲୀ,୨୦।୯ : ନୂଆ ପାର୍ଲାମେଣ୍ଟ ହାଉସ୍‌ର ପ୍ରଥମ ଲୋକ ସଭାରେ ଆଗତ ହୋଇଥିବା ଏହି ବିଲ୍‌କୁ ପ୍ରଧାନମନ୍ତ୍ରୀ ଏକ ‘ଐତିହାସିକ ପଦକ୍ଷେପ’ ଭାବେ ଅଭିହିତ କରିଛନ୍ତି। ୧ ଦଶନ୍ଧି ପୂର୍ବରୁ ପାର୍ଲାମେଣ୍ଟର ନିମ୍ନ ସଦନରେ ମହିଳା ସଂରକ୍ଷଣ ବିଲ୍‌ ଆଗତ ହୋଇଥିଲା। ସେହି ୧୦୮ତମ ସମ୍ବିଧାନ ସଂଶୋଧନ ବିଲ୍‌ ୨୦୧୦ରେ ରାଜ୍ୟ ସଭାରେ ଗୃହୀତ ହୋଇଥିଲା। ତେବେ ପଞ୍ଚଦଶ ଲୋକ ସଭା (୨୦୦୯-୨୦୧୪) ଭଙ୍ଗ ହେବା ସହ ଉକ୍ତ ବିଲ୍‌ ରଦ୍ଦ ହୋଇଯାଇଥିଲା। ସୂତ୍ରରୁ ଜଣାପଡ଼ିଛି ଯେ, ନୂଆ ବିଲ୍‌ ୨୦୧୦ରେ ଉପା ଅମଳରେ ଆଗତ ବିଧେୟକ ସଦୃଶ। କିନ୍ତୁ ୨୦୨୬ରେ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ପରେ ଏହା କାର୍ଯ୍ୟକାରୀ ହେବ। ଅର୍ଥାତ୍‌ ୨୦୨୯ ସୁଦ୍ଧା ଆଇନ ଲାଗୁ ହେବ। ମହିଳାଙ୍କୁ କେବଳ ଲୋକ ସଭା ଓ ବିଧାନସଭାଗୁଡ଼ିକରେ ୩୩% ସଂରକ୍ଷଣ ମିଳିବ। ଅନ୍ୟ ଅର୍ଥରେ ବୁଝିବାକୁ ଗଲେ, ଉକ୍ତ ବିଲ୍‌ ଗୃହୀତ ହୋଇ ଆଇନରେ ପରିଣତ ହେଲେ ଲୋକ ସଭାର ୫୪୩ ଆସନ ମଧ୍ୟରୁ ୧୮୧ ଏବଂ ସାରା ଦେଶର ବିଧାନସଭାଗୁଡ଼ିକରେ ଥିବା ୪,୧୨୯ ଆସନରୁ ୧,୩୭୦ କେବଳ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ। ରାଜ୍ୟ ସଭା କିମ୍ବା ବିଧାନ ପରିଷଦଗୁଡ଼ିକରେ ସେମାନେ ସଂରକ୍ଷଣ ସୁବିଧା ପାଇବେ ନାହିଁ। ମହିଳା ସଂରକ୍ଷଣ ବିଲ୍‌ ଆଇନରେ ପରିଣତ ହେଲେ ୧୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ତେବେ ପରବର୍ତ୍ତୀ ସମୟରେ ଆବଶ୍ୟକତାକୁ ଦେଖି ଏହି ଅବଧି ବୃଦ୍ଧି କରାଯାଇପାରେ। ମୋଦି ସରକାରଙ୍କ ସଂରକ୍ଷଣ ବିଲ୍‌ରୁ ଆଙ୍ଗ୍ଲୋ-ଇଣ୍ଡିଆନ୍‌ ସମୁଦାୟ ପାଇଁ ସଂରକ୍ଷଣ ସୁବିଧା ଥିବା ୨ଟି ଅନୁଚ୍ଛେଦର ସଂଶୋଧନ ଜରିଆରେ ଏହାକୁ ବାଦ୍‌ ଦିଆଯାଇଛି। କିନ୍ତୁ ୨୦୨୦ର ଚିଠାରେ ତଫସିଲଭୁକ୍ତ ଜାତି (ଏସ୍‌ଟି) ଏବଂ ତଫସିଲଭୁକ୍ତ ଜନଜାତି (ଏସ୍‌ଟି) ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ବଳବତ୍ତର ରହିବ। ଅନ୍ୟ ପଛୁଆ ବର୍ଗ (ଓବିସି)ଙ୍କ ପାଇଁ ଏଥିରେ କୌଣସି ଅତିରିକ୍ତ ସଂରକ୍ଷଣ ବ୍ୟବସ୍ଥା କରାଯାଇନାହିଁ।

Share