ଭାଲଚନ୍ଦ୍ର ଷଡ଼ଙ୍ଗୀ
ଗତ କିଛିଦିନ ମଧ୍ୟରେ ଘଟିଥିବା ତିନୋଟି ଲଜ୍ଜାଜନକ ଘଟଣା, ଭାରତରେ ମହିଳାମାନଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ସମାଜରେ ମହିଳାମାନଙ୍କ ବିରୋଧରେ ରହିଥିବା ପୁରୁଷବାଦୀ ମାନସିକତାକୁ ଉଜାଗର କରିଛି। ପ୍ରଥମ ଘଟଣାଟି ଉତ୍ତର ପ୍ରଦେଶର ଲଖିମପୁର ଖେରି ଜିଲାରେ ଘଟିଛି। ୨ଜଣ ଦଳିତ ନାବାଳିକାଙ୍କୁ କେତେଜଣ ଯୁବକ ଅପହରଣକରି ନେଇ ସେମାନଙ୍କୁ ସାମୂହିକ ବଳାତ୍କାର ଓ ହତ୍ୟା କରିବା ସହିତ ଉଭୟଙ୍କ ମୃତଦେହକୁ ରାସ୍ତାକଡ଼ରେ ଥିବା ଏକ ଗଛରେ ଝୁଲାଇ ଦେଇଥିଲେ। ଦ୍ୱିତୀୟ ଘଟଣାଟି ପଡ଼ୋଶୀ ଝାଡ଼ଖଣ୍ଡର ଦୁମ୍କାଠାରେ ଘଟିଛି। ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଜଣେ ନାବାଳିକାଙ୍କୁ ଏକତରଫା ପ୍ରେମ କରୁଥିବା ଜଣେ ଯୁବକ ନିଜର ଉଦ୍ଦେଶ୍ୟରେ ସଫଳ ନ ହୋଇ ଘରେ ଶୋଇଥିବା ଅବସ୍ଥାରେ ନାବାଳିକାଙ୍କ ଉପରେ ପେଟ୍ରୋଲ ଢାଳି ପୋଡ଼ି ଅତି଼ ନିର୍ମମ ଭାବେ ହତ୍ୟା କରିଛନ୍ତି। ତୃତୀୟ ଘଟଣାଟି ଗତ ଅଗଷ୍ଟ ୧୫ରେ ଗୁଜରାଟରେ ଘଟିଛି। ବହୁଚର୍ଚ୍ଚିତ ବିଲ୍କିସ୍ ବାନୋ ଗଣବଳାତ୍କାର ମାମଲାରେ କୋର୍ଟ ଦ୍ୱାରା ଆଜୀବନ ଜେଲଦଣ୍ଡରେ ଦଣ୍ଡିତ ହୋଇଥିବା ୧୧ ଜଣ ଅପରାଧୀଙ୍କୁ ସେମାନଙ୍କ ଦଣ୍ଡ ସମାପ୍ତି ପୂର୍ବରୁ ଗୁଜରାଟ ସରକାର ସ୍ବାଧୀନତା ଦିବସ ଅବସରରେ ଜେଲରୁ ମୁକ୍ତ କରିଦେବା ଦେଖିବାକୁ ମିଳିଛି। ଉଦ୍ବେଗଜନକ ବିଷୟ ହେଲା, ଜେଲରୁ ମୁକୁଳିବା ପରେ ସମ୍ପୃକ୍ତ ଅପରାଧୀମାନଙ୍କୁ ଭାଜପାର ସ୍ଥାନୀୟ ସମର୍ଥକମାନେ ଯେଉଁଭଳି ସମ୍ବର୍ଦ୍ଧନା ଜଣାଇଛନ୍ତି, ତାହା ଅମାନବୀୟତା ଓ ବିବେକବୋଧର ସମସ୍ତ ସୀମାକୁ ପାରକରିଛି। ବୋଧହୁଏ ପ୍ରଥମଥର ପାଇଁ ଏକ ଗଣବଳାତ୍କାର ଓ ଗଣହତ୍ୟା ମାମଲାର ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କ କାର୍ଯ୍ୟକୁ ଘୃଣା କରିବା ପରିବର୍ତ୍ତେ ସେମାନଙ୍କୁ ସମ୍ବର୍ଦ୍ଧନା ଜଣାଇ ପରୋକ୍ଷ ଭାବେ ବଳାତ୍କାରକୁ ମହିମାମଣ୍ଡିତ କରାଯାଇଛି।
ଉଲ୍ଲେଖଯୋଗ୍ୟ, ଆଜିକୁ ୨୦ ବର୍ଷ ତଳେ ଗୁଜରାଟର ଗୋଧ୍ରା ସହରରେ ଦଙ୍ଗାକାରୀମାନେ ବିଲ୍କିସ୍ ବାନୋଙ୍କ ପରିବାରର ୧୨ଜଣ ସଦସ୍ୟଙ୍କୁ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରିବା ସହିତ ତାଙ୍କ ସାମ୍ନାରେ ହିଁ ତାଙ୍କର ୩ବର୍ଷର ଝିଅର ମୁଣ୍ଡରେ ପଥର ଛେଚି ହତ୍ୟା କରିଥିଲେ। କେବଳ ବିଲ୍କିସ୍ ନୁହନ୍ତି, ତାଙ୍କ ପରିବାରର ଅନ୍ୟ ୩ଜଣ ମହିଳାଙ୍କୁ ବି ଦଙ୍ଗାକାରୀମାନେ ସାମୂହିକ ବଳାତ୍କାର କରିଥିଲେ। ପୀଡ଼ିତା ନ୍ୟାୟ ପାଇବା ପାଇଁ ବାଧ୍ୟହୋଇ କୋର୍ଟର ଆଶ୍ରୟ ନେବା ପରେ ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ତଥା ଅପରାଧୀଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ମିଳିଥିଲା। ଏପରିକି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ମାମଲାର ନିରପେକ୍ଷ ବିଚାର ପାଇଁ ରାଜ୍ୟ ବାହାରେ ମହାରାଷ୍ଟ୍ରରେ ଏହା କରାଯାଇଥିଲା। କୋର୍ଟର ଶକ୍ତ ଆଭିମୁଖ୍ୟ ଓ ସିବିଆଇର ନିରନ୍ତର ପ୍ରୟାସ ଏବଂ ସର୍ବୋପରି ବିଲ୍କିସ୍ଙ୍କ ନିରବଚ୍ଛିନ୍ନ ଲଢ଼େଇ ଫଳରେ ଅପରାଧୀମାନେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ। ନିଜର ସମଗ୍ର ପରିବାରକୁ ହରାଇ ସୁଦ୍ଧା ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତିରେ ଗଣ ବଳାତ୍କାରର ଶିକାର ଏହି ମହିଳାଙ୍କ ଦୀର୍ଘ ଓ ସାହସିକ ଲଢ଼େଇ ନିଶ୍ଚିତ ରୂପେ ଐତିହାସିକ ଥିଲା।
ବଳାତ୍କାର ଘଟଣାରେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ପରି କଠୋରଦଣ୍ଡ ଦେବାକୁ ଦାବିକରି ଆସିଥିବା ଭାଜପା ସରକାର ବିଲ୍କିସ୍ଙ୍କ କ୍ଷେତ୍ରରେ ବଳାତ୍କାରୀଙ୍କ ପ୍ରତି କୋହଳ ମନୋବୃତ୍ତି ଦେଖାଇ ସେମାନଙ୍କ ସଜା ସମାପ୍ତି ପୂର୍ବରୁ ଛାଡ଼ିଦେବା ଲଜ୍ଜାଜନକ ମନେହୁଏ। ପୁଣି ସେମାନଙ୍କ ସଜାମୁକ୍ତି ପାଇଁ ନିଷ୍ପତ୍ତି ନେଇଥିବା ସରକାରୀ କମିଟିର ଅନ୍ୟତମ ସଦସ୍ୟ ତଥା ସ୍ଥାନୀୟ ଭାଜପା ବିଧାୟକ ନିଜର ବକ୍ତବ୍ୟରେ ବିଲ୍କିସ୍ଙ୍କ ବଳାତ୍କାରୀମାନେ ସମସ୍ତେ ବ୍ରାହ୍ମଣ ଜାତିର ହୋଇଥିବାରୁ ସେମାନଙ୍କ ସଂସ୍କାରୀ ମନୋଭାବ ଲାଗି ତାଙ୍କୁ ମୁକ୍ତ କରାଗଲା ବୋଲି ଅତ୍ୟନ୍ତ ଲଜ୍ଜାଜନକ ଯୁକ୍ତି କରିଛନ୍ତି। ଉପରୋକ୍ତ ତିନୋଟି ଯାକ ଘଟଣା ଆମ ସମାଜର ପୁରୁଷ ପ୍ରଧାନତା ଓ ମହିଳା ବିରୋଧୀ ଚରିତ୍ରକୁ ସ୍ପଷ୍ଟ କରୁଛି। ବଳାତ୍କାରୀମାନଙ୍କୁ ଏଭଳି ସମ୍ବର୍ଦ୍ଧନା ଆମ ସମାଜରେ ରହିଥିବା ବଳାତ୍କାରୀ ମାନସିକତାକୁ ପ୍ରତିଫଳିତ କରୁଛି।
କେବଳ ଉପରୋକ୍ତ ଦୁଇଟି ଘଟଣା ନୁହେଁ, ଦେଶରେ ମହିଳାବିରୋଧୀ ହିଂସାର ଘଟଣା ଅବ୍ୟାହତ ରହିବା ସହ ପ୍ରତିବର୍ଷ ବୃଦ୍ଧି ପାଇବା ଦେଖିବାକୁ ମିଳିଛି। ନିକଟରେ କେନ୍ଦ୍ର ସରକାରଙ୍କ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ୨୦୨୧ର ‘ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ’ର ତଥ୍ୟ ବି ସେହି କଥାକୁ ପ୍ରମାଣିତ କରୁଛି। ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ମହିଳାଙ୍କ ବିରୋଧରେ ଅପରାଧର ହାର ପୂର୍ବ ବର୍ଷର ୫୬.୫ ତୁଳନାରେ ୨୦୨୧ରେ ୬୪.୫କୁ ବୃଦ୍ଧି ପାଇଛି। ୨୦୨୦ରେ ମହିଳା ବିରୋଧୀ ଅପରାଧର ୩,୭୧,୫୦୩ ମାମଲା ଦାଏର ହୋଇଥିବା ବେଳେ ୨୦୨୧ରେ ତାହା ୧୫.୩% ବୃଦ୍ଧି ପାଇ ୪,୨୮,୨୭୮ରେ ପହଞ୍ଚତ୍ଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମହିଳାଙ୍କ ବିରୋଧରେ ଅପରାଧର ସର୍ବାଧିକ ଘଟଣା (୩୧.୮%) ପରିବାର ଓ ନିକଟ ସମ୍ପର୍କୀୟମାନଙ୍କ ଦ୍ୱାରା ସଂଗଠିତ ହୋଇଛି। ମହିଳାଙ୍କ ବିରୋଧରେ ମୋଟ ଅପରାଧର ୨୦.୮% ଅସଦାଚରଣ ହୋଇଥିବା ବେଳେ ୭.୪% ବଳାତ୍କାର ମାମଲା ରହିଛି।
ଭାଜପା ଶାସିତ ଆସାମରେ ମହିଳା ବିରୋଧୀ ଅପରାଧ ଘଟଣାରେ ସର୍ବାଧିକ ବୃଦ୍ଧି (୧୬୮.୩%) ଦେଖିବାକୁ ମିଳିଛି। କେବଳ ୨୦୨୧ରେ ମୋଟ୍ ୨୯,୦୦୦ ଅପରାଧ ଘଟିଛି। ଆସାମ ପରେ ଓଡ଼ିଶା, ହରିୟାଣା ଓ ତେଲଙ୍ଗାନା ଏ କ୍ଷେତ୍ରରେ ଆଗରେ ରହିଛନ୍ତି। ୨୦୨୦ରେ ଓଡ଼ିଶାରେ ୨୫,୪୮୯ ମାମଲା ଦାଏର ହୋଇଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ୩୧,୩୫୨କୁ ବୃଦ୍ଧି ପାଇଛି। ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୧୩୭.୮ ମାମଲା ରୁଜୁକରି ଓଡ଼ିଶା ମହିଳାଙ୍କ ବିରୋଧୀ ଅପରାଧରେ ଆସାମ (୧୬୮.୩) ପରେ ଦ୍ୱିତୀୟ ସ୍ଥାନରେ ରହିଛି। ମହିଳାଙ୍କୁ ଅସଦାଚରଣ କ୍ଷେତ୍ରରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି। ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୬୫.୩ ଅସଦାଚରଣର ଘଟଣା ଘଟିଥିବା ବେଳେ ୨୬.୧ଟି ଘଟଣା ସହ ଆସାମ ଦ୍ୱିତୀୟ ସ୍ଥାନରେ ରହିଛି।
ଦେଶରେ ମହିଳାଙ୍କ ବିରୋଧରେ ଅପରାଧ ହାର ଲଗାତର ବୃଦ୍ଧି ପାଉଥିବା ବେଳେ ଦଣ୍ଡବିଧାନ ହାର ବୃଦ୍ଧି ନ ଘଟିବା ଅତ୍ୟନ୍ତ ଉଦ୍ବେଗଜନକ। ଦେଶରେ ମହିଳା ଅପରାଧ କ୍ଷେତ୍ରରେ ଦଣ୍ଡବିଧାନ ହାର ୨୦୨୦ରେ ୨୯.୮% ଥିବା ବେଳେ ୨୦୨୧ରେ ତାହା ୨୫.୨%କୁ ହ୍ରାସ ପାଇଛି। କେବଳ ବଳାତ୍କାର ମାମଲାରେ ଦଣ୍ଡ ହାର ୨୦୨୦ରେ ୨୯.୮% ଥିବା ବେଳେ ୨୦୨୧ରେ ତାହା ୨୮.୬%କୁ ହ୍ରାସ ପାଇଛି। ଆମ ରାଜ୍ୟରେ ମଧ୍ୟ ମହିଳା ବିରୋଧୀ ଅପରାଧ ମାମଲାରେ ଦଣ୍ଡ ହାର ଅତ୍ୟନ୍ତ ଖରାପ ସ୍ଥାନରେ ଅର୍ଥାତ୍ ମାତ୍ର ୮.୩% ରହିଛି। ଗତବର୍ଷ ୨,୩୧୩ ମାମଲାର ବିଚାରଣା ଶେଷ ହୋଇଥିବା ବେଳେ ମାତ୍ର ୧୯୩ ମାମଲାରେ ହିଁ ଦୋଷୀଙ୍କ ବିରୋଧରେ ଦଣ୍ଡବିଧାନ ହୋଇପାରିଛି। ତେବେ ଏଭଳି ସ୍ଥିତି ପାଇଁ ଖୋଦ୍ ସରକାର ହିଁ ଦାୟୀ। କାରଣ ଆମର ପରିବାର ପରି ଶାସନ ବ୍ୟବସ୍ଥାରେ ବି ଲିଙ୍ଗଗତ ଭେଦଭାବ ମହିଳାଙ୍କ ପ୍ରତି ସମ୍ବେଦନଶୀଳତାର ଅଭାବ ରହିଛି। ମହିଳା ବିରୋଧୀ ଅପରାଧର ତଦନ୍ତ ପାଇଁ ଉପଯୁକ୍ତ ତାଲିମପ୍ରାପ୍ତ ତଥା ଲିଙ୍ଗ ସଚେତନ ଥିବା ତଦନ୍ତକାରୀ ପୋଲିସ କର୍ମଚାରୀଙ୍କ ଅଭାବ ଯୋଗୁ ତଦନ୍ତ ପ୍ରକ୍ରିୟା ବିଳମ୍ବିତ ଓ ତ୍ରୁଟିପୂର୍ଣ୍ଣ ହେଉଛି। ଫଳରେ ଅପରାଧୀମାନେ ଖସିଯିବାକୁ ସକ୍ଷମ ହେଉଛନ୍ତି। ସେହିପରି କୋର୍ଟରେ ଆବଶ୍ୟକ ଅନୁସାରେ ବିଚାରପତି ନ ଥିବାରୁ ବିଚାର ପ୍ରକ୍ରିୟା ଅନାବଶ୍ୟକ ଭାବେ ବିଳମ୍ବିତ ହେଉଛି। ତେବେ ମହିଳାଙ୍କ ବିରୋଧରେ ଅପରାଧର ମୂଳ ହେଉଛି ଲିଙ୍ଗଗତ ଭେଦଭାବ ଓ ପୁରୁଷବାଦୀ ମାନସିକତା। ଆମ ପରିବାରଗୁଡ଼ିକରେ ଝିଅ ଓ ପୁଅଙ୍କୁ ଭିନ୍ନ ଭାବେ ଦେଖିବାର ପୁରୁଷବାଦୀ ମାନସିକତା ହିଁ ମହିଳାମାନଙ୍କ ଉପରୋକ୍ତ ସ୍ଥିତି ପାଇଁ ସବୁଠାରୁ ବେଶି ଦାୟୀ।
ମୋ:୯୪୩୭୧୬୬୩୯୧