ପାରଳାଖେମୁଣ୍ଡି,୨୯ା୧୨(ଡି.ଏନ୍.ଏ.): କାଶୀନଗର ବ୍ଲକ ହାଡୁଭାଙ୍ଗି ଗ୍ରାମରେ ଜବରଦଖଲ ଉଚ୍ଛେଦ ପ୍ରତିବାଦରେ କିରୋସିନି ଢାଳି ହୋଇ ନିଆଁ ଲଗାଇ ଉଦ୍ୟମ ବେଳେ ପୋଲିସ କାବୁ କରିଛି। ତେବେ ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ବଳବତ୍ତର ରଖିଛି ପ୍ରଶାସନ।
ଗଜପତି ଜିଲା କାଶୀନଗର ବ୍ଲକ ହାଡୁ ଭଙ୍ଗୀ ଗ୍ରାମରେ ବେଆଇନ ଜବରଦଖଲ ଉଚ୍ଛେଦ, ଚାଲିଥିବା ବେଳେ ଗ୍ରାମର ଦୋକାନ ଓ ବାସଗୃହ ମିଶି ମୋଟ୍ ୫୬ଟି ଘର ଭାଙ୍ଗିବା ପାଇଁ ନିଷ୍ପତ୍ତି ନେଇଥିବା ବେଳେ ସକାଳୁ ପ୍ରଶାସନ ଓ ପୋଲିସ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଉଚ୍ଛେଦ ପ୍ରକିୟା ଜାରି ରହିଥିବା ବେଳେ ହଠାତ୍ ରେଣୁକା ନାମକ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଥିଲେ। କିରୋସିନି ଢାଳି ଦେହରେ ନିଆଁ ଲଗାଇବା ପାଇଁ ପ୍ରଚେଷ୍ଟା କରିଥିଲେ। ଏହି ସମୟରେ ଉପସ୍ଥିତ ପୋଲିସ ତାଙ୍କୁ ଉଦ୍ଧାର କରିବା ସହ ରେଣୁକା ଏବଂ ଅନ୍ୟ ସହଯୋଗୀଙ୍କୁ ଉଠାଇ ନେଇଛି। ତେବେ ଏହି ଘଟଣାରେ ଆତ୍ମାହୁତି ଦେବା ପାଇଁ ଉଦ୍ୟମ କରୁଥିବା ରେଣୁକାଙ୍କ ଅଭିଯୋଗ ହେଲା ପ୍ରଶାସନ ଓ ପୋଲିସ ପାତରଅନ୍ତର ନୀତି ଅବଲମ୍ବନ କରି ଗରିବଙ୍କ ଘର ପ୍ରଥମେ ଭାଙ୍ଗି ଦେଇଛନ୍ତି ଆଉ ତାଙ୍କର ରୋଜଗାର ସକାଶେ ଅନ୍ୟ କୌଣସି ପନ୍ଥା ନାହିଁ ତେଣୁ ସେ ଏଭଳି ଉଦ୍ୟମ କରିଥିବା କହିଛନ୍ତି। ଅନ୍ୟପକ୍ଷରେ ସକାଳ ୮ଟାଠାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସକାଳୁ ୪ଟି ଦୋକାନ ଗୃହ ଭଙ୍ଗା ଯାଇଥିଲା। ଅନ୍ୟ ଘର ଉଚ୍ଛେଦ ନ କରି ଏବେ ପର୍ଯ୍ୟନ୍ତ କାହା ନିର୍ଦ୍ଦେଶକୁ ପ୍ରଶାସନ ଅପେକ୍ଷା କରିଛି ବୋଲି ପ୍ରଶ୍ନ କରିଛନ୍ତି ରେଣୁକା।