Categories: ଖେଳ

ମହିଳା ଟି୨୦: ସିରିଜ୍‌ ଜିତିଲା ଭାରତ

ମୀରପୁର, ୧୨ା୭: ବାଂଲାଦେଶ ମହିଳା ଦଳ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଦ୍ୱିପାକ୍ଷିକ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌କୁ ଜିତିବା ସହିତ ସିରିଜ୍‌ ଉପରେ ଆଗୁଆ କବ୍‌ଜା କରି ନେଇଛି ଭାରତ। ମୀରପୁରର ଶେର ଏ ବାଂଲା ଷ୍ଟାଡିୟମରେ ଖେଳାଯାଇଥିବା ଲୋ ସ୍କୋରିଂ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ୮ ଉଇକେଟରେ ୯୫ ରନ୍‌ ସଂଗ୍ରହ କରିଥିଲା। ଜବାବରେ ଭାରତୀୟ ସ୍ପିନରଙ୍କ ଘାତକ ବୋଲିଂ ବଳରେ ବାଂଲାଦେଶ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୮୭ ରନ୍‌ କରିଥିଲା। ୮ ରନ୍‌ରେ ମ୍ୟାଚକୁ ଜିତିବା ସହିତ ଭାରତ ସିରିଜ୍‌ରେ ୨-୦ରେ ଆଗୁଆ ରହିଛି। ଭାରତ ପକ୍ଷରୁ ଶେଫାଳି ବର୍ମା ଓ ଦୀପ୍ତି ଶର୍ମା ଉଭୟ ବ୍ୟାଟ୍‌ ଓ ବଲ୍‌ ଜରିଆରେ ଚମତ୍କାର ପ୍ରଦର୍ଶନ କରିଥିଲେ।
ସ୍ପିନରଙ୍କ ଦବ୍‌ଦବା: ମଙ୍ଗଳବାର ଭାରତୀୟ ଅଧିନାୟିକା ହରମନ୍‌ପ୍ରୀତ୍‌ କୌର୍‌ ଟସ୍‌ ଜିତି ବ୍ୟାଟିଂ ନେଇଥିଲେ। ଦୁଇ ଓପନର ସ୍ମୃତି ମନ୍ଧାନା (୧୩) ଓ ଶେଫାଳି ବର୍ମା(୧୯) ପ୍ରଥମ ଉଇକେଟରେ ୩୩ ରନ୍‌ ଯୋଡିଥିଲେ। ମାତ୍ର ୬ ବଲ୍‌ ମଧ୍ୟରେ ଉଭୟ ଓପନରଙ୍କ ସହିତ ପ୍ରଥମ ମ୍ୟାଚ୍‌ର ଅର୍ଦ୍ଧଶତକ ହାସଲକାରୀ ହରମନ୍‌ପ୍ରୀତ କୌର ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ ଫେରିଥିଲେ। ୧୪ ବଲ୍‌ର ଶେଫାଳିଙ୍କ ଇନିଂସରେ ୪ ଚୌକା ସାମିଲ ଥିଲା। ପରେ ୟସ୍ତିକା ଭାଟିଆ ୧୧ ରନ୍‌ କରି ଇନିଂସ ସଜାଡ଼ିବାକୁ ଉଦ୍ୟମ କରିଥିଲେ ମଧ୍ୟ ବଡ଼ ଶଟ୍‌ ଖେଳିବାକୁ ଯାଇ ଆଉଟ ହୋଇଥିଲେ।
ଜେମିମା-ହରଲିନ୍‌ଙ୍କ ଧିମା ବ୍ୟାଟିଂ: ଭାରତୀୟ ଦଳ ୪୮ ରନ୍‌ରେ ୪ ଉଇକେଟ ହରାଇ ସଙ୍କଟରେ ପଡ଼ିଥିବା ବେଳେ ଜେମିମା ରୋଡ୍ରିଗୁଏଜ୍‌ ଓ ହରଲିନ୍‌ ଦେଓଲ ଅତ୍ୟନ୍ତ ଧିମା ବ୍ୟାଟିଂ କରିଥିଲେ। ବାଂଲାଦେଶୀ ଲେଗ୍‌ ସ୍ପିନର ଫହିମା ଖାତୁନ୍‌ ଓ ରାବେୟା ଖାନ୍‌ ଉଭୟ ଖେଳାଳିଙ୍କୁ ହାତ ଖୋଲିବାର ସୁଯୋଗ ଦେଇ ନ ଥିଲେ। ଜେମିମା ୨୦ ବଲ୍‌ ଖେଳି ୮ ରନ୍‌ କରିଥିବା ବେଳେ ହରଲିନ୍‌ ୨୧ ବଲ୍‌ ଖେଳି ମାତ୍ର ୬ ରନ୍‌ ସ୍କୋର କରିଥିଲେ। ଶେଷ ଭାଗରେ ଦୀପ୍ତି ଶର୍ମା୧୦ ଓ ଅମନଜୋତ କୌର ୧୪ ରନ୍‌ ସ୍କୋର କରିବାରୁ ଭାରତ ୯୫ ରନ୍‌ରେ ପହଞ୍ଚିଥିଲା। ଏକଦା ଭାରତ ୧୫୦ ରନ୍‌ କରିବା ଭଳି ମନେହେଉଥିଲେ ହେଁ ବାଂଲାଦେଶ ବୋଲର ଭାରତକୁ ୧୦୦ ରନ୍‌ ମଧ୍ୟରେ ସୀମିତ ରଖିଥିଲେ। ପ୍ରଥମ ୧୦ ଓଭରରେ ଭାରତ ୫୧ ରନ୍‌ କରିଥିବା ବେଳେ ଦ୍ୱିତୀୟ ୧୦ ଓଭରରେ ମାତ୍ର ୪୪ ରନ୍‌ କରିଥିଲା।
ସଂକ୍ଷିପ୍ତ ସ୍କୋର: ଭାରତ ୨୦ ଓଭରରେ ୯୫/୮(ଶେଫାଳି ବର୍ମା-୧୯, ଅମନଜୋତ କୌର-୧୪, ସ୍ମୃତି ମନ୍ଧାନା-୧୩, ସୁଲତାନା ଖାତୁନ ୩/୨୧, ଫହିମା ଖାତୁନ-୨/୧୬, ନାହିଦା ଅଖତର-୧/୧୪)।
ବାଂଲାଦେଶ ୨୦ ଓଭରରେ ୮୭/୧୦(ନିଗାର ସୁଲତାନା ଜ୍ୟୋତି-୩୮, ଦୀପ୍ତି ଶର୍ମା-୩/୧୨, ଶେଫାଳି ବର୍ମା୩/୧୫, ମିନୁ ମଣି-୨/୯)।

Share