Categories: ଖେଳ

ମହିଳା ଟି୨୦ ବିଶ୍ୱକପ୍‌: ସେମିଫାଇନାଲ ଲକ୍ଷ୍ୟରେ ଭାରତ

ଜିକ୍ୱେବର୍ହା,୧୮ା୨: ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଭାରତ ଶନିବାର ଇଂଲଣ୍ଡକୁ ଭେଟିବ। ହରମନପ୍ରୀତ କୌରଙ୍କ ଦଳ ପୂର୍ବରୁ ପାକିସ୍ତାନକୁ ୭ ଉଇକେଟ ଏବଂ ଓ୍ବେଷ୍ଟଇଣ୍ଡିଜକୁ ୬ ଉଇକେଟରେ ପରାସ୍ତ କରିଛି। ୨ଟି ବିଜୟ ଯୋଗୁ ଭାରତ ସେମିଫାଇନାଲରେ ପ୍ରବେଶ ପାଇଁ ଦୃଢ ସ୍ଥିତିରେ ରହିଛି। ଅନ୍ୟତମ ଟାଇଟଲ ଦାବିଦାର ଇଂଲଣ୍ଡ ଦୁଇଟି ବିଜୟ ସହ ଟୁର୍ନାମେଣ୍ଟରେ ଏପର୍ଯ୍ୟନ୍ତ ଅପରାଜେୟ ରହିଛି। ଭାରତର ପଏଣ୍ଟ ସଂଖ୍ୟା ବର୍ତ୍ତମାନ +୦.୫୯୦ ରହିଥିବା ବେଳେ ହିଥର ନାଇଟ୍‌ ଓ ତାଙ୍କ ଦଳ +୨.୪୯୭ ପଏଣ୍ଟ ସହ ନେଟ୍‌ ରନ୍‌ ରେଟ୍‌ରେ ଅଗ୍ରଣୀ ରହିଛି।

ଉଭୟ ମ୍ୟାଚରେ ପ୍ରତିଭା ରିଚା ଘୋଷଙ୍କ ପ୍ରଦର୍ଶନ ଉଲ୍ଲେଖନୀୟ ରହିଛି। ଇଂଲଣ୍ଡ ବିପକ୍ଷ ମ୍ୟାଚ ଜିତିବାକୁ ହେଲେ ଟପ୍‌ ଅର୍ଡରଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।

ଅନ୍ୟପକ୍ଷେ ଇଂଲଣ୍ଡର ସ୍ପିନର ତ୍ରୟ ଚାର୍ଲି ଡିନ୍‌, ସୋଫି ଏକ୍ଲେଷ୍ଟୋନ୍‌ ଓ ସାରା ଗ୍ଲେନଙ୍କ ବୋଲିଂକୁ ଠିକଣା ରୂପେ ସାମ୍ନା କରିବାକୁ ହେବ। ନୂଆ ବଲ୍‌ରେ ପୂଜା ବସ୍ତ୍ରକାର-ରେଣୁକା ସିଂ ଯୋଡ଼ି ବୋଲିଂ ପ୍ରଭାବୀ ମନେ ହେଉଛି। ଡେଥ୍‌ ଓଭର ବୋଲିଂ ପାଇଁ ଦୀପ୍ତି ଶର୍ମା ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ନିର୍ଭରଯୋଗ୍ୟ ସାବ୍ୟସ୍ତ ହୋଇଛନ୍ତି। ଭାରତୀୟ ଦଳର ଫିଲ୍ଡରେ ଦୁର୍ବଳ ଥିବା ପରିଲକ୍ଷିତ ହେଉଛି। ଏଥିରେ ସୁଧାର ଆଣି ନ ପାରିଲେ ଇଂଲଣ୍ଡ ଏହାର ସୁଯୋଗ ନେଇପାରେ।

Share