Categories: ଖେଳ

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନକୁ ହରାଇଲା ଭାରତ

ଦୁବାଇ, ୬ା୧୦: ମହିଳା ଟି୨୦ ବିଶ୍ୱକପରେ ପାକିସ୍ତାନକୁ ୬ ଉଇକେଟରେ ହରାଇ ପ୍ରଥମ ବିଜୟ ହାସଲ କରିଛି ଭାରତ। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୮ଉଇକେଟ ହରାଇ ୧୦୫ ରନ୍‌ କରିଥିଲା। ଜବାବରେ ଭାରତ ୧୮.୫ ଓଭରରେ ୪ ଉଇକେଟ ହରାଇ ବିଜୟ ହାସଲ କରିଛି।

ଚଳିତ ଟୁର୍ନାମେଣ୍ଟରେ ଦ୍ୱିତୀୟ ମ୍ୟାଚ ଖେଳିଥିବା ଭାରତ ଏହା ସହ ପ୍ରଥମ ବିଜୟ ହାସଲ କରିଛି। ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୫୮ ରନରେ ଭାରତକୁ ପରାସ୍ତ କରିଥିଲା। ଏହି ବିଜୟ ସହ ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବା ଭାରତ ୨ ମ୍ୟାଚ୍‌ରୁ ଗୋଟିଏ ଲେଖାଏ ବିଜୟ ଓ ପରାଜୟ ସହ ୨ ପଏଣ୍ଟ ହାସଲ କରି ଚତୁର୍ଥ ସ୍ଥାନରେ ରହିଛି। ଭାରତ ଏହି ମ୍ୟାଚରେ ପୂଜା ବସ୍ତ୍ରକାରଙ୍କ ସ୍ଥାନରେ ସଜୀବନ୍‌ ସଜନାଙ୍କୁ ଖେଳାଇଥିଲା।

ଟସ୍‌ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା। ଏସିଆନ୍‌ ଚାମ୍ପିୟନ ଶ୍ରୀଲଙ୍କାକୁ ପ୍ରଥମ ମ୍ୟାଚ୍‌ରେ ପରାସ୍ତ କରିଥିବା ପାକିସ୍ତାନକୁ ପ୍ରଥମ ଓଭରରେ ଝଟକା ଦେଇଥିଲେ ରେଣୁକା ସିଂ ଠାକୁର। ଗୁଲ ଫିରୋଜାଙ୍କୁ ଖାତା ଖୋଲିବା ଆଗରୁ ସେ ପ୍ୟାଭିଲିୟନ ଫେରାଇଥିଲେ। ମୁନିବା ଅଲୀ ୧୭ ରନ୍‌ କରିଥିଲେ ମଧ୍ୟ ପାକିସ୍ତାନର ରନ୍‌ଗତିକୁ ନିୟନ୍ତ୍ରଣରେ ରଖିଥିଲେ ଭାରତୀୟ ବୋଲର। ଅରୁନ୍ଧତୀ ରେଡ୍ଡୀ ଓ ଶ୍ରେୟଙ୍କା ପାଟିଲ ଚମତ୍କାର ବୋଲିଂ କରିବା ସହ ରନ୍‌ ଗତି ଉପରେ ଅଙ୍କୁଶ ଲଗାଇଥିଲେ।

ପାକିସ୍ତାନ ମଧ୍ୟକ୍ରମରେ ସିଦ୍ରା ଅମିନ(୮), ଓମାଇମା ସୋହେଲ(୩) ଓ ଆଲିୟା ରିଆଜ୍‌(୩) ବିଫଳ ହୋଇଥିଲେ। ତେବେ ଅଭିଜ୍ଞ ନିଦା ଦର ସର୍ବାଧିକ ୨୮ ରନ୍‌ କରିଥିଲେ। ୩୪ ବଲ୍‌ ଖେଳି ସେ ଗୋଟିଏ ଚୌକା ମାରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧିନାୟିକା ଫାତିମା ସାନା ୧୩ ଓ ସୟଦା ଅରୁବା ଶାହ ଅପରାଜିତ ୧୪ ରନ୍‌ କରିବାରୁ ପାକିସ୍ତାନ ୧୦୫ରେ ପହଞ୍ଚିଥିଲା। ଭାରତ ପକ୍ଷରୁ ଅରୁନ୍ଧତୀ ରେଡ୍ଡୀ ୩ ଓ ଶ୍ରେୟଙ୍କା ପାଟିଲ ୨ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରେଣୁକା, ଦୀପ୍ତି ଶର୍ମା ଓ ଆଶା ଶୋବନା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

୧୦୬ ରନ୍‌ ଲକ୍ଷ୍ୟ ନେଇ ଆରମ୍ଭ କରିଥିବା ଭାରତ ଆକ୍ରମଣାତ୍ମକ ଖେଳିବା ଆଶା କରାଯାଉଥିଲା। ତେବେ ଦୁଇ ଓପନର ସ୍ମୃତି ମାନ୍ଧନା(୭) ଓ ଶେଫାଳି ବର୍ମା(୩୨) ଧିମା ବ୍ୟାଟିଂ କରି ପ୍ରଥମ ଉଇକେଟରେ ୧୮ ରନ୍‌ ଯୋଡିଥିଲେ। ପରେ ଜେମିମା ରୋଡ୍ରିଗୁଏଜ(୨୩) ଓ ଶେଫାଳି ବର୍ମା ତୃତୀୟ ଉଇକେଟରେ ୪୩ ରନ୍‌ ଯୋଡିଥିଲେ। ଜେମିମା ଖାତା ଖୋଲିବା ଆଗରୁ ଲଗାତର ବଲରେ ଆଉଟ ହୋଇଥିଲେ। ଅଧିନାୟିକା ହରମନ୍‌ପ୍ରୀତ୍‌ କୌର ୨୪ ବଳ୍‌ରୁ ୨୯ ରନ୍‌ କରିଥିବା ବେଳେ ରିଟାୟର୍ଡ ହର୍ଟ ହୋଇଥିଲେ।

ବିଜୟ ପାଇଁ ୪ ରନ ଆବଶ୍ୟକ ଥିବା ହରମନଙ୍କ ଗୋଡ ଖସିବା କାରଣରୁ ବେକରେ ଆଘାତ ଲାଗିଥିଲା। ସଜୀବନ୍‌ ସଜନା ପ୍ରଥମ ବଲରେ ଚୌକା ମାରି ମ୍ୟାଚକୁ ଷ୍ଟାଇଲରେ ଶେଷ କରିଥିଲେ। ପାକିସ୍ତାନ ପକ୍ଷରୁ ଫାତିମା ସାନା ୨, ଓମାଇମା ସୋହେଲ ଓ ସାଦିଆ ଇକବାଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ଭାରତର ଅରୁନ୍ଧତୀ ରେଡ୍ଡୀଙ୍କୁ ପ୍ଲେୟର ଅଫ ଦ ମ୍ୟାଚ୍‌ ଘୋଷଣା କରାଯାଇଥିଲା।

Share