Categories: ଖେଳ

ବିଜୟ ସେଲିବ୍ରେଶନ ପରେ ଜାଣିଲେ ବାପାଙ୍କ ମୃତ୍ୟୁ ଖବର

ମାଡ୍ରିଡ୍‌,୨୧ା୮: ଫିଫା ମହିଳା ବିଶ୍ୱକପ ଫାଇନାଲରେ ସ୍ପେନ୍‌କୁ ଟାଇଟଲ ବିଜୟୀ କରିବା ପରେ ପିତାଙ୍କ ମୃତ୍ୟୁ ଖବର ପାଇଥିଲେ ଅଧିନାୟିକା ଓଲଗା କାରମୋନା। ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ସ୍ପେନ୍‌ ଅଧିନାୟିକା ଓଲଗାଙ୍କ ପିତାଙ୍କ ପରଲୋକ ହୋଇଥିଲା। ମ୍ୟାଚ୍‌ ଚାଲିଥିବା ସମୟରେ ପିତାଙ୍କ ନିଧନ ହୋଇଥିଲେ ମଧ୍ୟ ଏହି ଖବର ପରିବାର ଲୋକେ ଓଲଗାଙ୍କୁ ଦେଇ ନ ଥିଲେ। ଟାଇଟଲ ବିଜୟ ସହିତ ସେଲିବ୍ରେଶନ ଶେଷ ହେବା ପରେ ପରିବାର ଲୋକ ତାଙ୍କୁ ଏହି ଦୁଃଖଦ ଖବର ଜଣାଇଥିଲେ।

୨୩ ବର୍ଷୀୟ ଓଲଗା ଉଭୟ ସେମି ଫାଇନାଲ ଓ ଫାଇନାଲରେ ସ୍କୋର କରିବା ସହିତ ସ୍ପେନକୁ ପ୍ରଥମ ଥର ଚାମ୍ପିୟନ କରାଇଛନ୍ତି। ସୋମବାର ସ୍ପାନିଶ୍‌ ଫୁଟବଲ ଫେଡେରେଶନ ପକ୍ଷରୁ ଟୁଇଟ୍‌ କରାଯାଇଥିବା ବେଳେ ଓଲଗା ମଧ୍ୟ ନିଜ ପିତାଙ୍କ ଉଦ୍ଦେଶ୍ୟରେ ଟୁଇଟ୍‌ କରିଥିଲେ। ‘ଜୀବନରେ ସଫଳତା ହାସଲ କରିବା ପାଇଁ ତୁମଠାରୁ ମୋତେ ଶକ୍ତି ମିଳିଥାଏ, ଗତ ରାତିରେ ମୋର ପ୍ରଦର୍ଶନ ତୁମେ ନିଶ୍ଚୟ ଦେଖିଥିବ ଓ ଗର୍ବ ଅନୁଭବ କରିଥିବ’ ରେଷ୍ଟ ଇନ୍‌ ପିସ୍‌ ଡାଡ୍‌ ବୋଲି ଲେଖିଥିଲେ ଓଲଗା। ଏହି ପୋଷ୍ଟ ସହିତ ଓଲଗା ବିଶ୍ୱକପ ମେଡାଲ ଧରିଥିବା ଏକ ଫଟୋ ଶେୟର କରିଥିଲେ।

Share