ନୂଆଦିଲ୍ଲୀ,୪।୯: ଓଡ଼ିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଟୋକିଓରେ ଚାଲିଥିବା ପାରା ଅଲିମ୍ପିକ୍ସରେ ଶନିବାର ପୁରୁଷ ସିଙ୍ଗଲ୍ସ (ଏସ୍ଏଲ୍୩) ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଚଳିତ ପାରା ଅଲିମ୍ପିକ୍ସରେ ଏହା ଭାରତର ଚତୁର୍ଥ ସ୍ବର୍ଣ୍ଣ ପଦକ। ଏହି ଐତିହାସିକ ସଫଳତା ପରେ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
‘ପ୍ରମୋଦ ପୂରା ଦେଶର ହୃଦୟ ଜିତି ନେଇଛନ୍ତି। ସେ ଜଣେ ଚାମ୍ପିୟନ ଓ ତାଙ୍କର ସଫଳତା ଅନେକଙ୍କୁ ପ୍ରେରିତ କରିବ। ସେ ସ୍ଥିରତା ଓ ନିଷ୍ଠାର ପରିଚୟ ଦେଇଛନ୍ତି। ବ୍ୟାଡ୍ମିଣ୍ଟନରେ ସ୍ବର୍ଣ୍ଣ ପଦକ ପାଇଁ ତାଙ୍କୁ ଶୁଭେଚ୍ଛା। ତାଙ୍କୁ ଭବିଷ୍ୟତା ପାଇଁ ଶୁଭକାମନା’ ବୋଲି ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ପ୍ରମୋଦଙ୍କ ଶୁଭେଚ୍ଛୁଙ୍କ ତାଲିକାରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର, ଚାମ୍ପିୟନ ମହିଳା ବକ୍ସର ଏମ୍ ସି ମେରୀକମ୍, ଆଇନ ମନ୍ତ୍ରୀ କିରେନ ରିଜିଜୁ ପ୍ରମୁଖ।